ଓଡିଶା

odisha

ETV Bharat / state

ଗଜପତି ସୀମାରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ରାଜସ୍ବ ବିଭାଗର ମିଳିତ ସର୍ଭେ - gajapati border dispute

ଓଡିଶା ସୀମାନ୍ତରେ ଥିବା ଜଳ, ଜମି, ଜଙ୍ଗଲ ଏବଂ ପ୍ରାକୃତିକ ସଂପଦକୁ ଲୁଟିବାରେ ବ୍ୟସ୍ତ ଆନ୍ଧ୍ର । ଫଳରେ ଆନ୍ଧ୍ରର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସୀମାନ୍ତ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ତମାନ ଏଭଳି ଘଟଣାର ସମାଧାନ ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଦୀର୍ଘଦିନ ଧରି ଲାଗିରହିଥିବା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ଚାଷୀ । ଅଧିକ ପଢନ୍ତୁ...

andrapradesh and odisha joint surver in gajapati
ଗଜପତିରେ ସୀମାରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ରାଜସ୍ବ ବିଭାଗର ମିଳିତ ସର୍ଭେ

By

Published : Dec 21, 2020, 9:37 PM IST

ପାରଳାଖେମୁଣ୍ଡି:ଓଡିଶା ସୀମାନ୍ତରେ ଥିବା ଜଳ, ଜମି, ଜଙ୍ଗଲ ଏବଂ ପ୍ରାକୃତିକ ସଂପଦକୁ ଆନ୍ଧ୍ରର ନଜର । ସବୁବେଳେ ଓଡିଶା ସରକାର ମୁହଁ ଫୁଟାଣି ଦେଖାଉଥିଲେ ମଧ୍ୟ ଆଜି ଯାଏଁ ଆନ୍ଧ୍ରକୁ କଡା ଜବାବ ଦେବା ଭଳି ନଜିର ନାହିଁ । ଫଳରେ ଆନ୍ଧ୍ରର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୀମାନ୍ତ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ତମାନ ଏଭଳି ଏକ ଘଟଣାର ସମାଧାନ ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଓଡ଼ିଶାର 12ଏକରରୁ ଅଧିକ ଜମିକୁ ଆନ୍ଧ୍ରର ଚାଷୀମାନେ ଗତ 40ବର୍ଷ ହେଲା ନିଜ କବଜାରେ ରଖିଥିବାବେଳେ ବର୍ତ୍ତମାନ ଏହାର ସମାଧାନ ପାଇଁ ଉଭୟ ରାଜ୍ୟର ରାଜସ୍ବ ବିଭାଗ ଅଧିକାରୀଙ୍କ ମିଳିତ ସର୍ଭେ ଆରମ୍ଭ ହୋଇଛି । ଫଳରେ ଦୀର୍ଘଦିନ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ଚାଷୀ ।

ଗଜପତିରେ ସୀମାରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ରାଜସ୍ବ ବିଭାଗର ମିଳିତ ସର୍ଭେ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତହସିଲ ଚେରୁଗୁଡି ଖାସ୍ପା ମୌଜା ଅଧିନରେ ଥିବା 12 ଏକର 187 ଡେସିମିଲ ଜମିକୁ ଆନ୍ଧ୍ରର କିଛି ଚାଷୀ ନିଜ କବଜାରେ ରଖିଛନ୍ତି । ଏପରିକି ଏହି ଜମି ଓଡିଶାର ହୋଇଥିଲେ ମଧ୍ୟ ଆନ୍ଧ୍ରର ପୁରୁଣାପାଟଣା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜମି ଜମା କାଗଜପତ୍ର ମଧ୍ୟ ପ୍ରଦାନ କରିଦିଆଯାଇଛି । ଫଳରେ ଆନ୍ଧ୍ର ସରକାରଙ୍କ ସୀମାନ୍ତରେ ଥିବା ଓଡିଶା ଜମି ଲୁଟିବା ମାନସିକତାକୁ ପଦାରେ ପକାଇଛି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଏହାପରେ ଆନ୍ଧ୍ର ପ୍ରଦେଶ ଗଠନ ବେଳେ ଏକ ମାନଚିତ୍ର ପ୍ରସ୍ତୁତ ହୋଇଥିଲା ଯେଉଁଥିରେ ଉଭୟ ରାଜ୍ୟର ସୀମା ନିର୍ଦ୍ଧାରଣ ମଧ୍ୟ କରାଯାଇଥିଲା । ତେବେ ବର୍ତମାନ ଓଡିଶାର ମାନଚିତ୍ର ଗୋଟିଏ କଥା କହୁଥିଲା ବେଳେ ଆନ୍ଧ୍ରର ମାନଚିତ୍ର ଆଉ ଗୋଟିଏ କଥା କହୁଛି । ତେଣୁ ବିବାଦ ଅଧିକ ଘନିଭୂତ ହେଉଛି । ଏପରିକି ଓଡିଶାର 'ଭୂଲେଖ ଓଡିଶା’ ପୋର୍ଟାଲରେ ଏହି ସ୍ଥାନ ଓଡିଶାର ବୋଲି କୁହାଯାଉଥିବା ବେଳେ ଆନ୍ଧ୍ର ସରକାରଙ୍କ ‘ମି ଭୂମି' ପୋର୍ଟାଲରେ ଏହା ଆନ୍ଧ୍ରର ବୋଲି କୁହାଯାଉଛି । ଫଳରେ ସାଧାରଣ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଜପତି ଜିଲ୍ଲାପାଳ ଏହାର ସମାଧାନ ପାଇଁ ଉଭୟ ରାଜ୍ୟର ମିଳିତ ସର୍ଭେ ପାଇଁ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ । ଏହି ଆଧାରରେ ଆଜି ଉଭୟ ପାରଳାଖେମୁଣ୍ଡି ତହସିଲଦାର ଏବଂ ଆନ୍ଧ୍ରର ପୁରୁଣାପାଟଣା ତହସିଲଦାରଙ୍କ ଉପସ୍ଥିତିରେ ଜମି ସର୍ଭେ କାମ ଆରମ୍ଭ ହୋଇଛି । ଏହା ସରିବା ପରେ ଏହି ସ୍ଥାନ କାହାର ଜଣାପଡିବ ବୋଲି ଉଭୟ ତହସିଲଦାର କହିଛନ୍ତି ।

ଗଜପତି ଜିଲ୍ଲା ଏକ ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପ୍ରାୟ 16ଟି ସ୍ଥାନକୁ ନେଇ ବିବାଦ ରହିଛି । ସେଥିମଧ୍ୟରୁ ଏହା ଗୋଟିଏ । ବର୍ତମାନ ଏହି ସ୍ଥାନରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ପରେ ସମସ୍ତ ବିବାଦୀୟ ସ୍ଥାନର ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ । ଦୀର୍ଘ ବର୍ଷ ହେଲା ପାରଳାଖେମୁଣ୍ଡି ତହସିଲ ଚେରୁଗୁଡି ଖାସ୍ପା ମୌଜାରେ ଥିବା 12ଏକର 187ଡେସିମିଲ ଜମି ବିବାଦ ମଧ୍ୟରେ ରହିଥିବାରୁ ସମସ୍ତ କାଗଜପତ୍ର ଥାଇ ମଧ୍ୟ ଓଡିଶାର ଚାଷୀ କୌଣସି ଲାଭ ପାଉନାହାଁନ୍ତି । ତେବେ ବର୍ତ୍ତମାନ ଏ ପ୍ରଶାସନର ଏଭଳି ଉଦ୍ୟମ ଦ୍ବାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଚାଷୀମାନେ ଆଶା ପ୍ରକାଶ କରିଛନ୍ତି ।

ସୀମାନ୍ତବର୍ତ୍ତୀ ଓଡିଶାର ଜଳ, ଜମି, ଜଙ୍ଗଲ ଉପରେ ସବୁବେଳେ ଆନ୍ଧ୍ର ତାର ବଡଭାଇ ପଣିଆ ଜାହିର କରି ଆସିଛି । ଏହାଦ୍ବାରା ପ୍ରତ୍ୟେକ ଥର ଓଡିଶା ଲୋକଙ୍କୁ ହିଁ ଏହାର କ୍ଷତି ସହିବାକୁ ପଡିଛି । ତେବେ ଏହି ଘଟଣାର ସମାଧାନ ଦିଗରେ ପ୍ରଶାସନ ନେଇଥିବା ପଦକ୍ଷେପ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details