ଗଜପତି: ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଜାରି ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଆନ୍ଧ୍ର ବାରମ୍ବାର ସୀମା ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଏବେ ସ୍ଥିତି ସରକାରଙ୍କ ହାତରୁ ଖସି ଯାଇଥିବା ଭଳି ମନେ ହେଉଛି । ଗଜପତି ସୀମାନ୍ତ ଲୋକେ ଆନ୍ଧ୍ର ମୁହାଁ ହେଉଥିବା ଦେଖା ଦେଇଛି । ସେପଟେ ସୀମାନ୍ତବାସୀଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା କଥା କହୁଛି ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ସରକାର ଓଡ଼ିଶା ସୀମାରେ ଅନୁପ୍ରବେଶ କରିବାକୁ ପ୍ରୟାସ ଆଲୋଚନା ହେଉଥିଲା । ଏବେ ଓଡ଼ିଶା ଲୋକେ ଆନ୍ଧ୍ର ମୁହାଁ ହେଉଥିବା ଖବର ସାମ୍ନାକୁ ଆସୁଛି ।
ଗଜପତି ଜିଲ୍ଲାର କପା ଚାଷୀ ଏବେ ଆନ୍ଧ୍ରକୁ ବିକ୍ରି କରୁଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲାରେ ମଣ୍ଡି ଖୋଲୁନଥିବା ଅଭିୟୋଗ କରି ଆନ୍ଧ୍ର ବ୍ୟବସାୟୀଙ୍କୁ ଅଧିକ ଦର ପାଇବା ଲୋଭରେ ବିକ୍ରି କରୁଛନ୍ତି । ଗୋଟିଏ ପଟେ କପା କିଣି ଆନ୍ଧ୍ର ବ୍ୟବସାୟୀ ମାଲେମାଲ ହେଉଥିବା ବେଳେ ଅନ୍ୟପଟେ କ୍ଷତି ସହୁଛି ଓଡିଶା । ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ସ୍ଥିତି ଏବେ ସାଙ୍ଘାତିକ ରୂପ ନେବା ଭଳି ମନେ ହେଉଛି । କେବଳ ସୀମା ନୁହେଁ ଓଡିଶା ବଜାରରେ କବଜା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଆନ୍ଧ୍ରର ବ୍ୟବସାୟୀ । ଗଜପତି ଜିଲ୍ଲାର ତିନି ମୁଖ୍ୟ ବ୍ଲକ ରାୟଗଡ, କାଶୀନଗର ଏବଂ ନୂଆଗଡରୁ କଞ୍ଚାମାଲ ନେଇ ଆନ୍ଧ୍ରର ରାଜସ୍ବ ବୃଦ୍ଧି ଲକ୍ଷ୍ୟରେ ବେପାରୀ । ପାଖାପାଖି ପନ୍ଦର ଶହ ଟଙ୍କା ଅଧିକ ଲାଭ ପାଇଁ ଆନ୍ଧ୍ର ବ୍ୟବସାୟୀଙ୍କ ଆଗରେ ମୁଣ୍ଡ ନୁଆଁଇଛି ଓଡିଶା ଚାଷୀ । କିନ୍ତୁ ଏହି କପା ଚାଷୀ ମାନେ ମଣ୍ଡି ନଖୋଲିବାରୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।