ଗଜପତି: ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଦିନ ଯେତିକି ବଢୁଛି, ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଇତିମଧ୍ୟରେ 5 ଦିନ ବିତିଲାଣି ତଥାପି କିଭଳି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଘଟଣା ଘଟିଗଲା ତାହା ଉପରୁ ପରଦା ହଟି ପାରିନାହିଁ । ହେଲେ ଛାନଭିନ୍ ପାଇଁ ଶୁକ୍ରବାର ପାରଳାଖେମୁଣ୍ଡି ଆସିଥିବା ସାଇଣ୍ଟିଫିକ ଟିମ୍ ହାତରେ ଲାଗିଛି ଏକ ଲାପଟପ ଏବଂ ଏକ ହାତଲେଖା ଡାଏରୀ । ଯାହା ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇପାରିବ ବୋଲି କୁହାଯାଉଛି । ଜବତ ଖାତାରେ ସୌମ୍ୟ ଅନେକ କିଛି ଉଲ୍ଲେଖ କରିଛନ୍ତି । ଯେଉଁଥିରୁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ଜଣାପଡିଛି ବୋଲି କହିଛନ୍ତି ଆଇନଜୀବୀ ପାର୍ଥସାରଥୀ ନାୟକ ।
ସାଇଣ୍ଟିଫିକ ଟିମ୍ ହାତରେ ଲାଗିଲା ACFଙ୍କ ହାତଲେଖା, ଫିଟିପାରେ ରହସ୍ୟ ତେବେ ସୌମ୍ୟଙ୍କ ସେହି ହାତଲେଖା ଖାତାରେ '୧୫ ତାରିଖ ପରେ ମୁଁ ଚାପମୁକ୍ତ ହୋଇଯିବି' ବୋଲି ଉଲ୍ଲେଖ ରହିଥିବା ଜଣାଯାଇଛି । ଏନେଇ ସୌମ୍ୟଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ଯେ ସୌମ୍ୟ ଅନ୍ୟତ୍ର ବଦଳି ପାଇଁ ଆବେଦନ କରିଥିଲେ ଏବଂ ବଦଳି ମଧ୍ୟ ହୋଇଥିଲା । ଏହା ଜାଣିବା ପରେ ସୌମ୍ୟ ଯେଉଁ ମାନସିକ ଚାପଗ୍ରସ୍ତ ଥିଲେ ସେଥିରୁ ଶାନ୍ତି ପାଇବେ ବୋଲି ସେ ଭାବୁଥିଲେ । ଯଦ୍ବାରା ସୌମ୍ୟ ଏଭଳି ଲେଖିଛନ୍ତି ବୋଲି ତାଙ୍କ ଭାଇ ସନ୍ଦେହ କରିଛନ୍ତି ।
କେବଳ ସେତିକି ନୁହେଁ ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି । ସେଥିରେ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ପତ୍ନୀଙ୍କୁ ହସ୍ତାନ୍ତର କରିବା ପାଇଁ ଉଲ୍ଲେଖ ରହିଛି । ତେଣୁ ଏହା କାହିଁକି ଲେଖା ଯାଇଥିଲା ତାହାର ବି ତଦନ୍ତ କରାଯିବା ଆବଶ୍ୟକ ବୋଲି ତାଙ୍କ ଭାଇ କହିଛନ୍ତି । ତେବେ ସୌମ୍ୟ ଗତ ଛୁଟିରେ ଆସିଥିବା ବେଳେ ଡିଏଫଓ କିଭଳି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ତାହା ସେ ନିଜ ସାଙ୍ଗ ଆଗରେ ପ୍ରକାଶ କରିଥିଲେ ବୋଲି ସୌମ୍ୟଙ୍କ ସାଙ୍ଗ କହିଛନ୍ତି । ଏପରିକି ତାଙ୍କ ଅନୁପସ୍ଥିତିରେ ଡିଏଫଓ ତାଙ୍କ ଘରକୁ ଯାଇ ଖାଇବା ପିଇବା କରୁଥିବା ମଧ୍ୟ ଅଭିଯୋଗ ଆସିଛି । ତେଣୁ ସୌମ୍ୟ ନିଜ ସ୍ତ୍ରୀ ଓ ଡିଏଫଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରୁଥିଲେ ବୋଲି ତାଙ୍କ ସାଙ୍ଗ କହିଛନ୍ତି ।
ସୌମ୍ୟଙ୍କ ହାତଲେଖା ଥିବା ଖାତାରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟ ବିବାଦ ରହିଥିବା ସ୍ପଷ୍ଟ ହେଉଛି । ଉଭୟଙ୍କ ମଧ୍ୟରେ ଛାଡପତ୍ର ପାଇଁ ମଧ୍ୟ ଚୁକ୍ତିନାମା ହୋଇଥିବା ଏକ କାଗଜକୁ ମଧ୍ୟ ପୋଲିସ ଜବତ କରିଛି । ତେଣୁ ଏହାରି ଆଧାରରେ ବହୁତ କିଛି ରହସ୍ୟ ବାହାରକୁ ଆସିବ ବୋଲି ଆଇନଜୀବୀ ପାର୍ଥ ସାରଥୀ ନାୟକ କହିଛନ୍ତି । ପୋଲିସ ଏହାର ଉପଯୁକ୍ତ ତଦନ୍ତ କରି ଘଟଣାସ୍ଥଳ ବାହାର କରିବା ସହ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ସେ ଦାବି କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୋଗକାରୀ ଏବଂ ଅନ୍ୟ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି । ଖୁବଶୀଘ୍ର ଡିଏଫଓ ଓ ଓ ACFଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଜେରା କରାଯିବ । ସବୁ ଦିଗରୁ ଘଟଣାର ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଜପତି ଏସପି ପ୍ରତିକ୍ରିୟା ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭରାତ