ଗଜପତି:ପୁଣି ପଦାରେ ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ୯୫ ବର୍ଷୀୟା ବୃଦ୍ଧା । ୩ ମାସ ହେଲା ଭତ୍ତା ପାଇନଥିବାରୁ ବୃଦ୍ଧାଙ୍କୁ ଟ୍ରଲିରେ ବୋହି ପୌର ପରିଷଦରେ ପହଞ୍ଚିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଅସହାୟଙ୍କୁ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ସେଠି ଜଣେ ବୃଦ୍ଧା କାହିଁକି ଟ୍ରଲିରେ ବୁହା ହେଲେ, ସେନେଇ ପ୍ରଶ୍ନ ଉଠିଛି ।
ପାରଳାଖେମୁଣ୍ଡି ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବାୟସ ପ୍ରାୟ ୯୫ ବର୍ଷ ହେବ । ଚାଲିବା ପାଇଁ ପାଦରେ ଜମାରୁ ବଳ ନାହିଁ । ଅଣ୍ଟା ସଳଖି ଛିଡା ହୋଇପାରୁ ନାହାନ୍ତି । ଅଭାବ ଅନଟନ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିଲା । ଗତ ତିନି ମାସ ହେଲା ସେ ଭତ୍ତା ପାଉନଥିଲେ । ଭତ୍ତା ପାଇଁ ଲବଙ୍ଗଙ୍କ ନାତି ବହୁବାର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଛନ୍ତି । ଭତ୍ତା ଟଙ୍କା ପୌର ପରିଷଦର କାର୍ଯ୍ୟାଳୟକୁ ଫେରି ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ନାତିକୁ କହିଥିଲେ । ଏହାପରେ ବୃଦ୍ଧାକୁ ତାଙ୍କ ଝିଅ ଡାଳିମ୍ବ ବେଣିଆ ଏକ ଟ୍ରଲିରେ ବୋହି ନେଇଥିଲେ ପୌର ପରିଷଦର କାର୍ଯ୍ୟାଳୟକୁ ।
ରାସ୍ତା ଉପରେ ଏହି ଦୃଶ୍ୟ ସମସ୍ତଙ୍କ ହୃଦୟଙ୍କୁ ଆନ୍ଦୋଳିତ କରିବା ଭଳି ଥିଲା । କାଠ ପଟା ପଡ଼ିଥିବା ଅଣଓସାରିଆ ଟ୍ରଲିରେ ଜାକିଜୁକି ହୋଇ ଶୋଇଥିଲେ ୯୫ ବର୍ଷୀୟା ଲବଙ୍ଗ । କାଳେ ଆଈର ମୁଣ୍ଡ ଟ୍ରଲି ପଟାରେ ବାଡେଇଯିବ ବୋଲି ନାତି ମୁଣ୍ଡକୁ ଧରିଥିଲା । ଏମିତି ଟ୍ରଲିରେ ବୁହାହୋଇ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟକୁ ଆସିବା ପରେ ଲବଙ୍ଗଙ୍କୁ ବକେୟା ଭତ୍ତା ମିଳିଥିଲା ।