ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କୁ ଧମକ ଦେଇ 3 ଗିରଫ

ଗଜପତି ଜିଲ୍ଲାରେ ସାମ୍ବାଦିକଙ୍କୁ ଧମକ ଦେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଏବଂ 2 ଜଣ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପାରଳାଖେମୁଣ୍ଡି ପୋଲିସ । ସାମ୍ବାଦିକଙ୍କୁ ଫୋନରେ ଆସୁଥିଲା ଧମକ ।

By

Published : Jul 21, 2019, 6:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଧମକ ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରଳାଖେମୁଣ୍ଡି ପୋଲିସ ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଆଳି ଠାରେ ଥିବା ଛାତ୍ରୀ ନିବାସ ବାରଣ୍ଡାରେ ଚାଉଳ ପଡିଥିବା ସମ୍ପର୍କରେ ଖବର ପ୍ରକାଶ କରିଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଚପାଇଦେବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ସମେତ ଅନ୍ୟ 2 ଜଣ ଶିକ୍ଷକଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଗତ 18 ତାରିଖ ଦିନ ଛାତ୍ରୀ ନିବାସ ବାରଣ୍ଡାରେ କିଛି ଚାଉଳ ବସ୍ତା ପଡିଥିବା ଖବର ପାଇ ସେଠାକୁ ଯାଇଥିବା ଛାପା ଗଣମାଧ୍ୟମ ପ୍ରତିନିଧି ଏହାକୁ ଦେଖିଥିଲେ । ଏହାର କାରଣ ଜାଣିବା ପାଇଁ ସ୍କୁଲର ଶିକ୍ଷକଙ୍କୁ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ସମ୍ପର୍କରେ କେହି ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ । ପରେ ସାମ୍ବାଦିକ ଜଣକ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଥିଲେ । ଖବର ପ୍ରକାଶ ପାଇବା ପରେ କିଛି ବ୍ୟକ୍ତି ସଂପୃକ୍ତ ପ୍ରତିନିଧିକୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ଖବରକୁ ଚାପି ଦେବାପାଇଁ ଉଦ୍ୟମ କରିଥିଲେ ।

ଏ ନେଇ ଶୁକ୍ରବାର ସଂଧ୍ୟାରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଧମକ ଆସିଥିବା ଫୋନ କଲକୁ ଯାଞ୍ଚ କରିବା ସହ ଧମକ ଦେଇଥିବା ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ଏବଂ 2 ଜଣ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details