ଢେଙ୍କାନାଳ:କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ଜଣେ ଛାତ୍ରୀର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି(Suspicious death of minor girl) । ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ପରିବାର ଲୋକେ ସ୍କୁଲର ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଢେଙ୍କାନାଳ ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ କଙ୍କଡାହାଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ ହେଲେ କଙ୍କଡାହାଡ ଥାନା ଅନ୍ତର୍ଗତ ବିରାଶାଳ ପଞ୍ଚାୟତ ପନାସିଆ ଗ୍ରାମର ବିପିନ ମୁଣ୍ଡାଙ୍କ ଝିଅ ଲକ୍ଷ୍ମୀ ମୁଣ୍ଡା ।
ହଷ୍ଟେଲରୁ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ଲକ୍ଷ୍ମୀ ଡ଼ଙ୍ଗାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ବିଦ୍ୟାଳୟ ନିକଟରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ପାଠ ପଢୁଥିଲେ । ଛାତ୍ରୀଙ୍କ ଏପରି ଅଚାନକ ମୃତ୍ୟୁକୁ ନେଇ ଏବେ ଏହି ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ଅନେକ ପ୍ରଶ୍ନ ଉଠିଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ମୁତାବକ, ମଙ୍ଗଳବାର ସକାଳ ୬ଟାରେ ଛାତ୍ରୀଙ୍କର କୌଣସି କାରଣରୁ ବାନ୍ତି ହୋଇଥିଲା ।
ଏନେଇ ତାଙ୍କୁ ପ୍ରଥମେ ବାନ୍ତି ବଟିକା ଦିଆଯାଇଥିଲା । ହେଲେ ବାନ୍ତି ବନ୍ଦ ନହେବାରୁ ପରେ କଙ୍କଡାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ମୃତ ଛାତ୍ରୀର ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ।
ଏ ସମ୍ପର୍କରେ ଡଙ୍ଗାପାଳ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଙ୍ଗୀତା ନାୟକ କହିଛନ୍ତି, ''ଆଜି ସକାଳ ୬ଟାରେ ଏହି ଛାତ୍ରୀ ଜଣଙ୍କର କୌଣସି କାରଣରୁ ବାନ୍ତି ହୋଇଥିଲା । ଏନେଇ ଏକ ଅଟୋ ମାଧ୍ୟମରେ ହଷ୍ଟେଲର ରୋଷେୟା ଏବଂ କିଛି ପିଲା ଆଣି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ପରେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ତାହା ମୁଁ ଠିକ୍ ସେ ଜାଣିପାରିନି ।''
ଇଟିଭି ଭାରତ, ଢେଙ୍କାନାଳ