ଢେଙ୍କାନାଳ: ବୌଦ୍ଧରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ କାବୁ କରି ଢେଙ୍କାନାଳର କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର କପିଳାଶରେ ରବିବାର ହାତୀଟିର ମୃତ୍ୟୁ ଘଟିଛି । ତେବେ ଏହି ନରହନ୍ତା ଦନ୍ତାର ଏପରି ଆକସ୍ମିକ ମୃତ୍ୟୁକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ଏକ ପୋଷା ଦନ୍ତାହାତୀ ନିଜ ମାଲିକ ତଥା ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସ୍ଥାନରେ ବୁଲୁଥିଲା । ଜିଲ୍ଲାରେ ଅନେକ ଧନ ଜୀବନ ନଷ୍ଟ କରି ବେଶ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ କାବୁ କରି ବୌଦ୍ଧରୁ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା । ହେଲେ ହଠାତ୍ ଗତ ରବିବାର ହାତୀର ମୃତ୍ୟୁ ହୋଇଥିଲା । ଏହି ଦନ୍ତା ହାତୀର ବୟସ ୪୦ ବର୍ଷ ।
ଚଳିତ ସପ୍ତାହରେ ଏହି ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜରରେ କାବୁ କରିଥିଲା ବନ ବିଭାଗ । ଆଉ ଟ୍ରାଙ୍କୁଳାଇଜର ଦେଇ ଦନ୍ତା ହାତୀକୁ ଢେଙ୍କାନାଳ କପିଳାଶ ସ୍ଥିତ ଥଇଥାନ କେନ୍ଦ୍ରକୁ ନିଆଯାଇଥିଲା । ଗତ ଶନିବାର କପିଳାଶରେ ହାତୀଟି ପହଞ୍ଚିଲା ପରେ ତା' ପରଦିନ ଅର୍ଥାତ ରବିବାର ଭୋର ସମୟରେ ଆଖି ବୁଜିଥିଲା । ହାତୀ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ମାଧ୍ୟମରେ ରାଜ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇଛି ।