ଅନୁଗୋଳ: ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରୁ ଉଠିବ କୋଟାରେ ନାମଲେଖା । ଅନଲାଇନରେ ନାମ ଲେଖାହେବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଇଟ ଟୁ ଏଜୁକେଶନ ଆକ୍ଟ (ଶିକ୍ଷା ଅଧିକାର ଆଇନ) ଅଧିନରେ କୋଟା ସିଟରେ ଡିଏଭି ସ୍କୁଲରେ ସାଧାରଣ ପିଲାଙ୍କ ନାମଲେଖାକୁ ନେଇ ହେଉଥିବା ଅସୁବିଧା ସମ୍ପର୍କରେ ଏହି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।
ଘରୋଇ ସ୍କୁଲ ଗୁଡିକର ଶତକଡା 25 ପ୍ରତିଶତ ସିଟରେ ରାଜ୍ୟ ସ୍ତରରେ ଅନଲାଇନ ନାମଲେଖା ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଢେଙ୍କାନାଳ ଓଡାପଡା ବ୍ଲକ ଇନ୍ଦୁପୁର ଉଚ୍ଚ ବିଦ୍ୟାଳୟର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏହା କହିଛନ୍ତି । ଏହାସହ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ଥିବା ସ୍କୁଲ ଗୁଡିକର ସମସ୍ୟାକୁ ସରକାର ଗୁରୁତର ସହ ନେଇଛନ୍ତି । ତୁରନ୍ତ ଏହାର ବିଚାର ହେବ ବୋଲି କହିଛନ୍ତି ମନ୍ତ୍ରୀ ।