ଢେଙ୍କାନାଳ:ଆସନ୍ତା ୯ ତାରିଖ କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା (Famous Gajalaxmi Puja of Dhenkanal)। ଏଥିପାଇଁ ଢେଙ୍କାନାଳରେ ପୂଜା ପ୍ରତିଷ୍ଠାନ ମାନେ ବେଶ ତତ୍ପର ହୋଇ ଉଠିଛନ୍ତି । କିପରି ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରାଯିବ ସେଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ପୂଜା ମଣ୍ଡପ । ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଥିବା ବେଳେ ସଜେଇ ହେଉଛି ସାରା ଢେଙ୍କାନାଳ ସହର ।
ଗଜଲକ୍ଷ୍ମୀ ପୂଜା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ୧୯ ତାରିଖରେ ହେବ ମା'ଙ୍କ ଭସାଣି । ଫଳରେ ଏହି ପୂଜା ଉତ୍ସବକୁ ୧୧ଦିନ ଧରି ବେଶ ଧୁମଧାମରେ ପାଳିବେ ଢେଙ୍କାନାଳ ବାସୀ । ଚଳିତ ବର୍ଷ ୩୮ଗୋଟି ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ବୋଲି ସୂଚନା ଦେଇଛନ୍ତି ମିଳିତ ଲକ୍ଷ୍ମୀପୂଜା ବଜାର କମିଟିର ଅଧ୍ୟକ୍ଷ । ଏପଟେ କୋଭିଡ଼ କଟକଣାରେ ୨ବର୍ଷ ପରେ ପୁଣି ବାର୍ଷିକ ପର୍ବ ଗଜଲକ୍ଷ୍ମୀ ପୂଜା ବିନା କଟକଣାରେ ହେବାକୁ ଯାଉଥିବାରୁ ସହରବାସୀ ବେଶ ଉତ୍ସାହର ସହ ପୂଜାକୁ ଚାହିଁ ରହିଛନ୍ତି । ତେବେ ଗତ ୨ବର୍ଷ ଧରି କୋଭିଡ଼ କଟକଣା ପରେ ଚଳିତ ବର୍ଷ ପାର୍ବଣ ଉପରେ ନାହିଁ କୌଣସି କଟକଣା ।
ଫଳରେ ଚଳିତ ବର୍ଷ ଏହି ଲକ୍ଷ୍ମୀପୂଜା ମହୋତ୍ସବକୁ କିପରି ଆହୁରି ଆକର୍ଷଣୀୟ କରିହେବ ସେଥିପାଇଁ ବେଶ ତତ୍ପର ହୋଇପଡିଛନ୍ତି ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା । ମଣ୍ଡପ ମାନଙ୍କରେ ମା'ଙ୍କ ମୂର୍ତ୍ତି ଗଢିବାରେ ବ୍ୟସ୍ତ ଥିବାବେଳେ ଆଉ କେଉଁଠି ସୁଉଚ୍ଚ ତୋରଣ ତିଆରିରେ ଲାଗିପଡିଛନ୍ତି କାରିଗର । ମା'ଙ୍କୁ କିପରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରତି ଆକର୍ଷିତ କରିବେ, ଚାନ୍ଦି ମେଢ଼ କିପରି ଝଲସିବ ସେଥିପାଇଁ କାରିଗର ମାନେ ଫୁଲ ଦମରେ ଲାଗିପଡିଛନ୍ତି । ଆଉ ସେପଟେ ପୁରାତନ ପୂଜା ପ୍ରତିଷ୍ଠାନ ଲଷ୍ମୀବଜାର ପୂଜା ପ୍ରତିଷ୍ଠାନ ତାର ୭୫ବର୍ଷ ପୂର୍ତ୍ତି ଅବସରରରେ ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ମଣ୍ଡପ କର୍ମକର୍ତ୍ତା ।