ଢେଙ୍କାନାଳ: କପିଳାସ ରାସ୍ତାର ବିରଡ଼ିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତକ ଜଣକ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ହାବିଲଦାର ବିପିନ ବିହାରୀ କର ବୋଲି ଜଣାପଡିଛି । ବିପିନଙ୍କ ଘର ଢେଙ୍କାନାଳ ଜୋରନ୍ଦା ଅନ୍ନପୁର ଗ୍ରାମରେ ।
ସୂଚନା ମୁତାବକ, ବିପିନ ଢେଙ୍କାନାଳ କୋର୍ଟରୁ ସାକ୍ଷୀ ଦେଇ ବାଇକ ଯୋଗେ ଫେରୁଥିବା ବେଳେ କପିଳାସ ଆଡୁ ଫେରୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଅନ୍ୟ ବାଇକରେ ଥିବା ଦୁଇ ଯୁବକ ଯୁବତୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ହାବିଲଦାରଙ୍କ ସହ ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ହାବିଲଦାରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଜିଲ୍ଲାର କମଗରା ବ୍ରାହ୍ମଣୀ ପୋଲ ଉପରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ମୃତକ ଜଣଙ୍କ କାମାକ୍ଷାନଗର ବୁଢ଼ୀବିଲି ଗ୍ରାମର ସୁଶାନ୍ତ ବେହେରା ବୋଲି ଜଣାପଡିଥିବା ବେଳେ ତିନି ଗୁରୁତର ବୁଢ଼ୀବିଲି ଗ୍ରାମର ବିଜୟ ବେହେରା, ସଦର ଥାନା ଆତିଣ୍ଡା ଗ୍ରାମର ଅମର ପ୍ରଧାନ ଓ ଉଦୟ ପ୍ରଧାନ ବୋଲି ପରିଚୟ ମିଳିଥିଲା ।
ମୃତ ସୁଶାନ୍ତ ଓ ତାଙ୍କ ସାଥୀ ବିଜୟ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ । ସେହିଦିନ ଉଭୟ କାମ ସାରି ଏକ ବାଇକ ଯୋଗେ ତାଳଚେରରୁ ଘରକୁ ଫେରୁଥିଲେ । ଏହି ସମୟରେ ଅମର ଓ ଉଦୟ ବିପରିତ ଦିଗରୁ ଏକ ବାଇକ ଯୋଗେ କାମାକ୍ଷାନଗର ଯାଉଥିବା ବେଳେ କମଗରା ବ୍ରାହ୍ମଣୀ ପୋଲ ଉପରେ ସୁଶାନ୍ତଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ଢେଙ୍କାନାଳ