ଢେଙ୍କାନାଳ: ପିଲାର ଟିକେ ବି କିଛି ହୋଇଗଲେ କାନ୍ଦି ଉଠେ ମା'ର ଅନ୍ତର । ପିଲାକୁ ଦୁନିଆର ଆଲୋକ ଦେଖାଇବାକୁ ଦଶମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହିଥାଏ ମାଆ । ପିଲାର ସୁରକ୍ଷା ପାଇଁ ଦୁନିଆ ସହିତ ଲଢିବାକୁ ପଛାଇ ନଥାଏ ମାଆ । ହେଲେ ଯେତେବେଳେ ସେଇ ପିଲା ଦୁନିଆକୁ ବୁଝିଯାଏ ସେବେ ମାଆକୁ ବୁଝିବାକୁ ଅସମର୍ଥ ହୋଇଥାଏ ସେ । ଭୟ ଲାଗୁଥିଲେ ମାଆ କାନି ତଳେ ଆଶ୍ରୟ ନେଇଥିବା ପିଲା ଏବେ ମାଆକୁ କଷ୍ଟ ଦେବାକୁ ପଛାଇ ନାହିଁ । ମାଆର ସବୁ ସ୍ନେହ ମମତାକୁ ଭୁଲି ତା ଆଖିରେ ଲୁହ ଦେବାକୁ ପଛାଇନାହିଁ ପୁଅ । ମାଆକୁ ମାଡମାରିବା ସହିତ ଘରୁ ବାହାର କରିଦେଇଛି ପୁଅ । ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପ ପୁର ଗାଁରେ । 70 ବର୍ଷୀୟ ବୃଦ୍ଧା ଲାବନା ସାହାଣୀଙ୍କୁ ବେସାହାରା କରିଛି ତାଙ୍କ ଏକମାତ୍ର ପୁଅ ।
ସୁରପ୍ରତାପପୁର ଗ୍ରାମର କଣ୍ଟାସାହିର ଲାବନା ସାହାଣିଙ୍କ ଘର । ବୟସ ୭୦ ବର୍ଷ । ଆଜକୁ ତିରିଷ ବର୍ଷ ପୂର୍ବେ ସ୍ବାମୀ ଦିଶ ସାହାଣିଙ୍କର ଏକ ଅଜଣା ରୋଗରେ ମୃତ୍ୟୁ ହୋଇଛି । ସ୍ବାମୀଙ୍କର ଅକାଳ ମୃତ୍ୟୁରେ ଭାଙ୍ଗି ପଡିନଥିଲେ ଲାବନା ସାହାଣି । ଦୁଇ ପିଲାଙ୍କ ମୁହିଁକୁ ଚାହିଁ ବଞ୍ଚିଥିଲେ ଲାବନା । ପୁଅଝିଅଙ୍କୁ ବହୁ ଦୁଃଖ କଷ୍ଟ କରି ଛୋଟରୁ ବଡ କଲେ । ପୁଅ ପ୍ରକାଶ ସାହାଣୀ ବଡ ହୋଇ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରି ବେଶ ଦୁଇ ପଇସା ମଧ୍ୟ ରୋଜଗାର କଲା । ଯେନ ତେନ କରି ଝିଅର ବିବାହ କରିଦେଲେ । ପରେ ପୁଅ ପ୍ରକାଶର ବିବାହ କରାଇ ଘରକୁ ବୋହୁ ଆଣିଥିଲେ । ବେଶ କିଛି ବର୍ଷ ପୁଅ ବୋହୁଙ୍କୁ ନେଇ ସୁଖରେ ସଂସାର ଚାଲିଲା । ହେଲେ ଆଜକୁ ତିନି ବର୍ଷ ପୂର୍ବେ କୌଣସି କଥାକୁ ନେଇ ଶାଶୁ ବୋହୁଙ୍କ ମଧ୍ୟରେ ବିବାଦ ମା ପୁଅ ସମ୍ପର୍କରେ ଝଡ଼ ସୃଷ୍ଟି କଲା । ସ୍ତ୍ରୀ କଥାରେ ପଡି ମାର ସବୁ କଷ୍ଟ, ସ୍ନେହ ମମତାକୁ ତୁଚ୍ଛ କରିଦେଲା ପୁଅ । ଏପରିକି ବୃଦ୍ଧା ବିଧବା ମାଆକୁ ଘରୁ ମାଡମାରି ତଡିଦେଲା ପୁଅ । ଫଳରେ ବୟସ ଅପରାହ୍ନରେ ସମ୍ପୁର୍ଣ୍ଣ ଅସହାୟ ହୋଇ ବାର ଦ୍ବାର ସୁଣ୍ଢି ପିଣ୍ଡା ହେଉଛନ୍ତି ଲାବନା । ଶେଷରେ ଗାଁ କୋଠଘରକୁ ଶେଷ ଆଶ୍ରା କରି ପଡି ରହିଛନ୍ତି ବୃଦ୍ଧା ଲବନା । ଆଉ ପର ହାତ ଟେକା ଭାତ ମୁଠାଏ ଓ ତୋରାଣି ମୁଁନ୍ଦାଏରେ ତାଙ୍କର ଜୀବନ ବିତୁଛି ବୋଲି କହିଛନ୍ତି ଗ୍ରାମବାସୀ ।