ଢେଙ୍କାନାଳ: ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗ୍ରାମରେ ଜଘନ୍ୟକାଣ୍ଡ । ଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ । 5ବର୍ଷର ଶିଶୁ ଗୁରୁତର ଆହତ । ଭୁବନ ଡାକ୍ତରଖାନାରେ ଭର୍ତ୍ତି ।
ଅସୁରନ୍ଧରେ ଜଘନ୍ୟକାଣ୍ଡ, ଦିଅର ଟାଙ୍ଗିଆ ଚୋଟରେ ଭାଉଜ ମୃତ ଗ୍ରାମର ସଦାନନ୍ଦ ମଳିକଙ୍କ ତୃତୀୟ ପୁଅ ରବିନ୍ଦ୍ର ମଳିକ ନିଜ ଘରେ ଘଟାଇଛି ଉନ୍ମତ୍ତକାଣ୍ଡ। ଏକ ଧାରୁଆ ଟାଙ୍ଗିଆରେ ବଡ ଭାଇ ଅଭିମନ୍ୟୁ ମଳିକଙ୍କ ପତ୍ନୀ ମିଲୀ ମଳିକଙ୍କୁ ହାଣୀ ହତ୍ୟା କରିଛି । ଅପରପକ୍ଷରେ ଟାଙ୍ଗିଆରେ ଆକ୍ରମଣରେ ଅଳ୍ପକେ ଜୀବନବଞ୍ଚି ଯାଇଥିଲେ ମଧ୍ୟ ମୃତ ମିଲିଙ୍କ 5ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାକୁ ଭୁବନ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।
ଶିଶୁ କନ୍ୟାର ମୁଣ୍ଡରେ ଚୋଟ ଲାଗିଛି । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପରେ ମଧ୍ୟ ଅନ୍ୟମାନଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବାବେଳେ ରବୀନ୍ଦ୍ର ମଳିକକୁ ଗ୍ରାମବାସୀ କାବୁ କରି ଭୁବନ ପୋଲିସର ଜିମା ଦେଇଛନ୍ତି ।
ସେପଟେ ଭୁବନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ସୂଚନା ମୁତାବକ, ଚାରି ବର୍ଷ ହେବ ଅଭିଯୁକ୍ତ ରବିନ୍ଦ୍ର ମଳିକ ବିବାହ କରିଥିଲେ ମଧ୍ୟ ତାଙ୍କ ପତ୍ନୀ ତାକୁ ଛାଡି ପଳାଇଥିବା ଜଣାପଡିଛି । ତେବେ ରବୀନ୍ଦ୍ର ତାଙ୍କ ଭାଇ ମାନଙ୍କ ସହ ରହୁଥିଲେ । ଫଳରେ ସେ ମାନସିକ ବିକାରଗସ୍ତ ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଇଛି ।
ଗତକାଲି ରାତିରେ ପରିବାର ଲୋକେ ଖାଇପିଇ ସାରିବା ପରେ ସମସ୍ତ ପୁରୁଷମାନେ ଗ୍ରାମ ନିକଟ ବିଲକୁ ପାଣି ଦେଖିବାକୁ ଯାଇଥିବାବେଳେ ଏପରି ଘଟଣା ଘଟିଥିବା ଜଣାପଡିଛି । ମିଲି ଓ ତାଙ୍କ 5ବର୍ଷର ଝିଅ ଅଭିଶା ମଳିକ ଏକାଠି ଶୋଇଥିବା ସମୟରେ ରବିନ୍ଦ୍ର ଟାଙ୍ଗିଆରେ ମିଲିର ବେକରେ ଚୋଟ ମାରିଥିଲା । ଘଟଣାସ୍ଥଳରେ ମିଲିର ମୃତ୍ୟୁ ହୋଇଥିଲା । ତେବେ ଏହି ଆକ୍ରମଣରେ ଟାଙ୍ଗିଆ ଚୋଟ ବାଜି ମିଲିଙ୍କ ଝିଅ ଅଭିଶା ଗୁରୁତର ହୋଇଥିଲେ।
ପରେ ଖବର ପାଇ ସ୍ବାମୀ ଅଭିମନ୍ୟୁ ମଳିକ ଘରେ ପହଞ୍ଚି ଦେଖିବା ପରେ ଭୁବନ ପୋଲିସକୁ ଖବର ଦେଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ