ଢେଙ୍କାନାଳ: ସୁଧୁରିବ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରାସ୍ତା ସମସ୍ୟା । ଆଉ ନୂଆ ରାସ୍ତା ନିର୍ମାଣ ପାଇଁ ଫିଟିବ ବାଟ । ଦୀର୍ଘ ଦିନ ଧରି ଲାଗି ରହିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରାସ୍ତା ସମସ୍ୟା ସୁଧାରିବା ପାଇଁ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଅବସରରେ ଗତକାଲି ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ଏହି ଅବସରରେ ସ୍ଥାନୀୟ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଜିଲ୍ଲାପାଳ ସରୋଜ ସେଠି, ଏସ ପି ଜ୍ଞାନରଞ୍ଜନ ମହାପାତ୍ର , ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଅଶୋକ ଦାଶ ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ସାମିଲ ଥିଲେ। ତେବେ ସହରର କ୍ରମାଗତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଟ୍ରାଫିକ ଭିଡ଼ ହେବାରେ ଲାଗିଛି । ଏପରିକି ସହର ମୁଖ୍ୟ ରାସ୍ତା ଉପରେ ନିର୍ଭର କରୁଥିବା ଜିଲ୍ଲାର ବିଭିନ୍ନ ବ୍ଲକରୁ ଦକ୍ଷିଣକାଳୀ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ଜଟିଳ ହୋଇ ପଡୁଛି । ଫଳରେ ସହରର ଟ୍ରାଫିକ ଭିଡ଼ କମାଇବା ସହ ଡାକ୍ତରଖାନା ପାଇଁ ଜାତୀୟ ରାଜପଥକୁ ଏକ ସିଧାସଳଖ ରାସ୍ତା ଯୋଗାଯୋଗ ପାଇଁ ମିଳିତ ନିଷ୍ପତ୍ତି ହୋଇଛି ।
ଏହା ମଧ୍ୟ ପଢନ୍ତୁ-ରାସ୍ତା ନଥିବାରୁ ଅଟକିଲା ଆମ୍ବୁଲାନ୍ସ; ଅଧାବାଟରେ ଆଖି ବୁଜିଲା ବର୍ଷକର ଶିଶୁ