ଢେଙ୍କାନାଳ:ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଆହତ ଦନ୍ତା । ଦୁଇଦିନ ଧରି ଢେଙ୍କାନାଳ ହିନ୍ଦୋଳ ରେଞ୍ଜର ଗୁରିଲୋ ଗ୍ରାମ ମଶାଣି ନିକଟରେ ହାତୀଟିର ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ମୃତ୍ୟୁ ହୋଇଛି । ସାତକୋଶିଆରୁ ସ୍ୱତନ୍ତ୍ର ବନ୍ୟପ୍ରାଣୀ ଚିକିତ୍ସକ ଆହତ ଦନ୍ତାହାତୀକୁ ଚିକିତ୍ସା କରୁଥିଲେ ମଧ୍ୟ ବଞ୍ଚାଇବାରେ ବିଫଳ ହୋଇଛି । କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ହାତୀର ଶରୀରର କିଛି ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ସେଥି ପାଇଁ ମୃତ ହାତୀର ରକ୍ତ ଓ ବିଭିନ୍ନ ଅଂଶ ପରୀକ୍ଷା ପାଇଁ ପଠାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ହେବ ହାତୀଟି ହିନ୍ଦୋଳ ବନାଞ୍ଚଳର କଇ ସଂରକ୍ଷିତ ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ପରେ ହାତୀକୁ ଅସୁସ୍ଥ ଅବସ୍ଥାରେ ଗୁରିଲୋ ଗାଁ ପୋଖରୀ ନିକଟରୁ ଠାବ କରିଥିଲା ବନବିଭାଗ । ଏହାପରେ ଗତ ଦୁଇ ଦିନ ହେଲା ହାତୀର ଚିକିତ୍ସା ଚାଲିଥିଲା । ବନବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀ ସୁମିତ କୁମାର କରଙ୍କ ତତ୍ତ୍ବାବଧାନରେ ପ୍ରାଣୀ ଚିକିତ୍ସକ ଓ ସାତକୋଶିଆରୁ ସ୍ୱତନ୍ତ୍ର ବନ୍ୟପ୍ରାଣୀ ଚିକିତ୍ସକଙ୍କ ମାଧ୍ୟମରେ ଚିକିତ୍ସା କରାଯାଉଥିଲା । ସ୍ଥାନୀୟ ପ୍ରାଣୀ ଚିକିତ୍ସକ ମାନେ ଏଥିରେ ସହଯୋଗ କରିଥିଲେ ।