ଢେଙ୍କାନାଳ:ଜଗତଜନନୀ ମା ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ। ରବିବାର ଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହରର ପ୍ରତିଟି ପୂଜା ମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ପୂଜା । କୁମାର ପୂର୍ଣ୍ଣିମା ରାତିରୁ ମାଙ୍କୁ ଆବାହନ କରାଯାଇଥିବାବେଳେ ଚଳିତ ବର୍ଷ ୧୧ଦିନ ଧରି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଜାରି ରହିବ । ପୂଜା ଦେଖିବାକୁ ଶହଶହ ଭକ୍ତଙ୍କ ସମାଗମ ହେଉଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଚଳଚଞ୍ଚଳ ଅନୁଗୋଳ, ୧୧ ଦିନ ଧରି ଜମିବ ଗଜଲକ୍ଷ୍ମୀ ପୂଜା
ରୀତିନୀତି ଆନୁଯାୟୀ ରବିବାର ମଣ୍ଡପ ଗୁଡିକରେ ଅପରାହ୍ନ ସମୟରେ ମା'ଙ୍କୁ ଆବାହନ ପାଇଁ ଶୁଭ କଳସ ସ୍ଥାପନ ଓ ମଣ୍ଡପ ସଂସ୍ଥାପନ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ମଣ୍ଡପ ଗୁଡିକରେ ମା'ଙ୍କୁ ଅବାହାନ କରାଯାଇଥିଲା । ଚଳିତ ବର୍ଷ ଢେଙ୍କାନାଳ ସହରରେ ୩୮ଟି ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପ ଗୁଡିକରେ ସାଜସଜ୍ଜାକୁ ମଧ୍ୟ ବେଶ ଗୁରୁତ୍ବ ଦିଆଯାଇଛି । ସୁଉଚ୍ଛ ତୋରଣ ସାଙ୍ଗକୁ ରାତି ହେଲେ ରଙ୍ଗୀନ ଆଲୋକରେ ଝଲସି ଉଠୁଛି ଢେଙ୍କାନାଳ ସହର । ସନ୍ଧ୍ୟା ସମୟରେ ମୀନା ବଜାର ସାଙ୍ଗକୁ ଦୋଳିର ଆସର ମଧ୍ୟ ଜମୁଛି ।