ଢେଙ୍କାନାଳ: ଭକ୍ତ ଆଉ ଭଗବାନଙ୍କ ମିଳନ ନେଇ ଚଳଚଞ୍ଚଳ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ । କୋଭିଡ କଟକଣା ମଧ୍ୟରେ ଆଜି ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୯ମାସ ଧରି ପ୍ରଭୁଙ୍କୁ ସିଧାସଳଖ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଉଠିଥିଲେ ଭକ୍ତ । ଫଳରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଉତ୍କଣ୍ଠା କହିଲେ ନସରେ । ତେବେ ଏଥିପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି । ଯେପରିକି ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ କପିଳାଶ ସମେତ ଜିଲାର ବଳରାମ ମନ୍ଦିର ଆଦି ପ୍ରମୁଖ ସାତୋଟି ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ।
ଆଜିଠାରୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ କେବଳ ଢେଙ୍କାନାଳ ଜିଲାର ଲୋକମାନଙ୍କ ଦର୍ଶନ ମଧ୍ୟରେ ସୀମିତ ରହିଛି । ୧୬ ତାରିଖ ଠାରୁ ସର୍ବ ସାଧରଣଙ୍କ ପାଇଁ ସୁଯୋଗ ରହିବ । ଏଥିପାଇଁ ପ୍ରଶାସନର ସ୍ବତନ୍ତ୍ର କଟକଣା ଜରି କରାଯାଇଛି । କପିଳାଶ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ କୋଭିଡ ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଫଳରେ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ରିପୋର୍ଟ ଯାଞ୍ଚ କରାଯାଇଛି । ଥର୍ମାଲ ସ୍କାନିଂଠାରୁ ଆରମ୍ଭ କରି ମାସ୍କ ଓ ସାମାଜିକ ଦୂରତା ମଧ୍ୟରେ ମନ୍ଦିର ଭିତରକୁ ଜଣ ଜଣ କରି ଛଡ଼ାଯାଉଛି । କୌଣସି ଭୋଗ ଓ ଫୁଲ ଆଦିକୁ ବାରଣ କରାଯାଇଛି ।