ଢେଙ୍କାନାଳ: ରାଜ୍ୟରେ ଦୋଳ ପୂର୍ଣ୍ଣିମାକୁ ଢେଙ୍କାନାଳରେ ବେଶ ଧୁମଧାମରେ ପାଳନ କରାଯାଇଛି । ସେହିପରି ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଏହପର୍ବକୁ ପରମ୍ପରାର ସହ ପାଳିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଦିରରୁ ରାଧାକୃଷ୍ଣଙ୍କ ପ୍ରତିମାକୁ ସ୍ବତନ୍ତ୍ର ବିମାନ ଯୋଗେ ମେଲଣ ମଣ୍ଡପକୁ ନିଆଯାଇଥିଲା ।
ଦୋଳ ପୂର୍ଣ୍ଣିମାର ଆଧ୍ୟାତ୍ମିକ ପରିବେଶରେ ବୁଡିଲା ଢେଙ୍କାନାଳ ସେଠାରେ ଦୋଳିରେ ରାଧାକୃଷ୍ଣଙ୍କୁ ଝୁଲାଇବା ସହ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିବା ଦେଖାଯାଇଥିଲା ।
ସେହିପରି ଦୋଳମଣ୍ଡପ ସାହିସ୍ଥିତ ମେଲଣ ମଣ୍ଡପ ଚଳଚଞ୍ଚଳ ହୋଇଉଠିଥିଲା । ଢେଙ୍କାନାଳର ଆରାଧ୍ୟ ବଳରାମଜୀଉଙ୍କ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦଙ୍କୁ ସ୍ବତନ୍ତ୍ର ପାଲିଙ୍କି ଯୋଗେ ଏଠାକୁ ଅଣାଯାଇଥିଲା । ଏହି ମେଲଣ ମଣ୍ଡପରେ ଦୋଳ ଗୋବିନ୍ଦଙ୍କୁ ଦୋଳିରେ ଝୁଲାଇଥିଲେ ।
ଏହି ଅବସରରେ ପ୍ରଭୁଙ୍କୁ ବିମାନରେ ଚାଚେରି ବୁଲାଇ ସହର ପରିକ୍ରମା କରାଯାଇଥିଲା । ବିମାନ ଆଗେ ଆଗେ ଲଉଡାବାଡି ଖେଳ ସାଙ୍ଗକୁ ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ଭଜନ କୀର୍ତ୍ତନରେ ସାରା ସହର ଏକ ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ