ଢେଙ୍କାନାଳ: ପୌରାଞ୍ଚଳକୁ ୨୭ ଓ ୨୮ ତାରିଖ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ପୂର୍ବରୁ ଜିଲ୍ଲାରେ ଶନିବାର ଓ ରବିବାର ଜାରି ରହିଛି ସାପ୍ତାହିକ ସଟଡାଉନ । ଫଳରେ ଆସନ୍ତା ଚାରିଦିନ ଧରି ସଟଡାଉନ ରହିବ ଢେଙ୍କାନାଳ ପୌରାଞ୍ଚଳ ।
ଢେଙ୍କାନାଳ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି । ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୧୨୯୬ ହୋଇ ସାରିଲାଣି । ବିଶେଷ କରି ଜିଲ୍ଲାର ଭୁବନ, ଗଁନ୍ଦିଆ ଓ ଓଡ଼ପଡା ବ୍ଲକ କୋରୋନା ହଟସ୍ପଟ ପାଲଟିଛି । ଫଳରେ ଜିଲ୍ଲାରେ ପ୍ରତି ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଜାରି ରହିବା ସହ ଦିନ ୨ଟା ପରଠାରୁ ସଟ ଡାଉନ ଜାରି ରହିଛି । ଏପରିସ୍ଥଳେ ଏବେ ଢେଙ୍କାନାଳ ପୌରାଞ୍ଚଳରେ ସଂକ୍ରମଣ ବଢୁଛି । ଏହାକୁ ଆଖି ଆଗରେ ରଖି ବୁଧବାର ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ୨୭ ତାରିଖରୁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ପୌରାଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି । ଫଳରେ ଆସନ୍ତାକାଲି ଠାରୁ ଚାରି ଦିନ ଧରି ଢେଙ୍କାନାଳ ପୌରାଞ୍ଚଳ ସଟଡାଉନ ରହିବ । ତେବେ ଆଜି ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପୌରାଞ୍ଚଳରେ ଘୋଷଣା କରିବା ପରେ ଅଚାନକ ଏହି ଘୋଷଣା ନେଇ ସହରବାସୀଙ୍କ ମହଲରେ ବେଶ ଆଲୋଡନ ସୃଷ୍ଟି କରିଛି ।