ଓଡିଶା

odisha

ETV Bharat / state

ଧନଧାତ୍ରୀଙ୍କ ଧରାବତରଣ, ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା - ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଆଜି (ଶନିବାର)ଠୁ ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ। ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଛି ଢେଙ୍କାନାଳ । ୧୧ଦିନ ଧରି ଲାଗିରହିବ ଉତ୍ସବର ମାହୋଲ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Oct 28, 2023, 8:07 PM IST

ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ: ଆଜି (ଶନିବାର) ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଧରାବତରଣ କରିଛନ୍ତି ମା' ଧନଧାତ୍ରୀ । ଆଉ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଉତ୍ସବ । ପରମ୍ପରା ଓ ରୀତିନୀତି ମୁତାବକ ଚଳିତ ବର୍ଷ ୩୮ ମଣ୍ଡପରେ ମା'ଙ୍କୁ ଆବାହନ କରାଯାଇଛି । ପୂଜା ମଣ୍ଡପର ପୂଜକମାନଙ୍କ ମନ୍ତ୍ର ଧ୍ଵନି ସାଙ୍ଗକୁ ଘଣ୍ଟ ଘଣ୍ଟି ଶବ୍ଦରେ ସାରା ସହର ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ପୂଜା ବଜାରରେ ମୁତୟନ ହୋଇଛନ୍ତି ୨୫ ପ୍ଲାଟୁନ ପୋଲିସ ଫୋର୍ସ ।

ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଯୋଗୁଁ ପୂଜାବିଧିରେ ପରିବର୍ତ୍ତନ କରାଯାଇଛି । ସକାଳୁ ସକାଳୁ ମା'ଙ୍କର ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ଅଧିବାସ ପୂଜା ପାଇଁ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ବୁଡ ପକାଇ ପୂଜା ମଣ୍ଡପ ଶୁଭ କଳସ ସ୍ଥାପନ କରିଛନ୍ତି । ପରେ ସକାଳ ମଣ୍ଡପମାନଙ୍କରେ ରୀତିନୀତିରେ ମା' ଲକ୍ଷ୍ମୀଙ୍କ ଆବାହନ କରାଯାଇଛି । ହୋମଯଜ୍ଞ ସାଙ୍ଗକୁ ପୂଜକଙ୍କର ମନ୍ତ୍ର ଧ୍ବନି ଆଉ ଏପଟେ ବିଭିନ୍ନ ପାରମ୍ପରିକ ବାଦ୍ୟ ଯନ୍ତ୍ରର ଶବ୍ଦରେ କମ୍ପି ଉଠିଛି ଢେଙ୍କାନାଳ ସହର। ଆଉ ମା'ଙ୍କର ଏହି ପ୍ରଥମ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ମା' ଲକ୍ଷ୍ମୀଙ୍କର ଦର୍ଶନ ଲାଭ କରି ଭକ୍ତିରେ ଆତ୍ମ ବିଭୋର ହୋଇପଡିଛନ୍ତି ଶ୍ରଦ୍ଧାଳୁ ।

ଏହା ବି ପଢନ୍ତୁ- ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜା, ଚନ୍ଦ୍ରଗ୍ରହଣ କାରଣରୁ ଦିନରେ ପୂଜାର୍ଚ୍ଚନା

ସୂଚନା ମୁତାବକ, ଚଳିତ ବର୍ଷ ୩୮ଟି ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି। ଆଜି କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହୋଇ ୧୧ଦିନ ଧରି ବେଶ ଧୁମଧାମରେ ପୂଜାତ୍ସୋବକୁ ପାଳିବେ ଢେଙ୍କାନାଳବାସୀ । ଆସନ୍ତା ନଭେମ୍ବର ୮ ତାରିଖରେ ଅନୁଷ୍ଠିତ ହେବ ଭସାଣି ଉତ୍ସବ । ତେବେ ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ସାରା ସହର । ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ବିଭିନ ରଙ୍ଗୀନ ଆଲୋକମାଳା ସାଙ୍ଗକୁ ନଭଚୁମ୍ଭି ତୋରଣମାନ ପୂଜା ବଜାରକୁ ଆହୁରି ଆକର୍ଷଣୀୟ କରିଛି ବୋଲି କହିଛନ୍ତି ମଣ୍ଡପ କର୍ମକର୍ତ୍ତା ଓ ମିଳିତ ପୂଜା ବଜାର କମିଟିର ଅଧ୍ୟକ୍ଷ ।

ଏହା ବି ପଢନ୍ତୁ- Gajalaxmi Puja: ରାତି ପାହିଲେ ବିରାଜିବେ ଧନଦାତ୍ରୀ, ସଜେଇ ହେଲାଣି କେନ୍ଦ୍ରାପଡା

ଚଳିତ ବର୍ଷ ପୂର୍ବ ବର୍ଷ ପରି ମହିଷାପାଟଠାରେ ରବିବାରଠାରୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେଉଛି । ଏହା ସହିତ ପୂଜା ବଜାରରେ ବିଭିନ୍ନ କିସମର ଦୋଳି, ମୀନା ବଜାର, ଫାଷ୍ଟଫୁଡ ଓ ଉଠା ଦୋକାନୀମାନଙ୍କ ବେପାର ପଶରା ପୂଜା ବଜାରକୁ ଦର୍ଶକମାନଙ୍କୁ ଟାଣି ଆଣିବ। ତେବେ ପୂଜା ବଜାରରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଯାନବାହନ ଚଳାଚଳରେ ସମୟ ନିର୍ଘଣ୍ଟ ମୁତାବକ କଟକଣା କରାଯାଇଛି। ସହରକୁ ୪ଟି ଜୋନରେ ବିଭକ୍ତ କରି ସେକ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପୂଜା ଦେଖିବାର ସୁଯୋଗ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details