ଢେଙ୍କାନାଳ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ରାଙ୍କିଆ ଗ୍ରାମରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା । ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବା ନେଇ କହିଛନ୍ତି ଢେଙ୍କାନାଳ ACF ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ରାଙ୍କିଆ ଗାଁ ପାଖ ଧାନ ବିଲ ନିକଟରେ ହାତୀଟି ଶୋଇରହିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏନେଇ ବନବିଭାଗକୁ ଖବର ଦେବା ପରେ ଭୁବନ ରେଞ୍ଜ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ଜାଣିବା ପରେ, ମୃତ୍ୟୁର କାରଣ ଜାଣିବା ପାଇଁ ଢେଙ୍କାନାଳ ACF ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସେପଟେ ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୁତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ACF ସୂଚନା ଦେଇଛନ୍ତି ।
ସେପଟେ ହାତୀ ମଣିଷ ଲଢେଇ ଭିତରେ କେତେବେଳେ ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ ହେଉଛି ତ ପୁଣି କେତେବେଳେ ଫସଲ ସୁରକ୍ଷା ପାଇଁ ବିଛା ଯାଉଥିବା ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହେଉଛି । ଏନେଇ ବନ ବିଭାଗ ସବୁ ଜାଣି ନଜାଣିଲା ପରି ଚୁପ ରହୁଛି । ନା ହାତୀ ଗତି ପଥ ଉପରେ ବନବିଭାଗ ନଜର ରଖୁଛି ନା ଚାଷୀଙ୍କ ଚାଷ ଜମିକୁ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।