ଢେଙ୍କାନାଳ:ରାଜ୍ୟର ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗୁରୁବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିଲେ । ସରାଙ୍ଗ ସ୍ଥିତ ଅନନ୍ତ ଶୟନ କ୍ଷେତ୍ରର ବିକାଶ ସମେତ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ୧ ହଜାର କୋଟି ଟଙ୍କା ମଞ୍ଜୁର ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ପରଜଙ୍ଗ ମିନି ଷ୍ଟାଡିୟମଠାରେ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ନୂତନ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଥିଲେ 5-ଟି ଅଧ୍ୟକ୍ଷ ।
ସୂଚନାଯୋଗ୍ୟ, ରାଜ୍ୟରେ ମଠ ମନ୍ଦିର ଓ ମସ୍ଜିଦ ଆଦି ଧର୍ମାନୁଷ୍ଠାନ ନୂଆ ରୂପ ନେଉଛି । ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପରେ ସାମିଲ ହୋଇଛି ରାଜ୍ୟର ଅନ୍ୟତମ ଆଧ୍ୟାତ୍ମିକ କ୍ଷେତ୍ର ଢେଙ୍କାନାଳର ସରାଙ୍ଗ ସ୍ଥିତ ଅନନ୍ତ ଶୟନ କ୍ଷେତ୍ର । ପୂର୍ବ ପ୍ରତିଶୃତି ମୁତାବକ ଏହି ଅନନ୍ତ ଶୟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସାଢ଼େ ୩ କୋଟି ପ୍ରଦାନ କରିଛନ୍ତି । ଏହାସହ ଯୋଗାଯୋଗ ଓ ରାସ୍ତାଘାଟ ଉନ୍ନୟନ ପାଇଁ ୨କୋଟି ୭୦ଲକ୍ଷ ଅନୁମୋଦନ କରିଛନ୍ତି । ଏଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଆୟୋଜିତ ଧନ୍ୟବାଦ ସଭାରେ ଯୋଗ ଦେଇଥିଲେ ପାଣ୍ଡିଆନ । ଯାହାକୁ ନେଇ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଏକ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସେଥିମଧ୍ୟରେ ସାଂଦା ଠାରେ ଗ୍ରୀଡ଼ ସ୍ଥାପନ ପାଇଁ ୫୦ କୋଟି, ମୁକ୍ତାପଶି ପାଖରେ ଗ୍ରୀଡ଼ ସବ ଷ୍ଟେସନ ଓ ଅଷ୍ଟଶମ୍ଭୁ ମନ୍ଦିର ଉନ୍ନୟନ ସାଙ୍ଗକୁ କୃଷକମାନଙ୍କ ପାଇଁ ଜମିକୁ ଜଳସେଚନ ନିମନ୍ତେ ଶୁଣ୍ଢି କାଟେଣି ଆଡି ବନ୍ଧ ନିର୍ମାଣ ପାଇଁ ୯ଶହ କୋଟି ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଥିବା ସୂଚନା ଦେଇଛନ୍ତି ପାଣ୍ଡିଆନ ।