ଢେଙ୍କାନାଳ/ଅନୁଗୋଳ: ଢେଙ୍କାନାଳ କଣ୍ଟାବଣିଆ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଷ୍ଟିମ ପାଇପ୍ ଲାଇନ୍ ଫାଟିଯିବା କାରଣରୁ ଘଟିଛି ବିସ୍ଫୋରଣ । ଏହି ଅଘଟଣରେ ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ୧୯ ଗୁରୁତରଙ୍କୁ କଟକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପହଞ୍ଚି ତଦନ୍ତ କରୁଛି । ସେପଟେ ଟାଟା ଷ୍ଟିଲ ପକ୍ଷରୁ ଟ୍ବିଟ କରାଯାଇ ଘଟଣାକୁ ନେଇ ଦୁଃଖପ୍ରକାଶ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ଓ ଏସପି ମଧ୍ୟ ପ୍ଲାଣ୍ଟ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ପ୍ରାଥମିକ ସୂଚନା ଅନୁସାରେ ଗ୍ୟାସ ଲିକ୍ ହେବା ପରେ ପ୍ଲାଣ୍ଟରେ ଷ୍ଟିମ ପାଇପ ଫାଟିଯିବାରୁ ବିସ୍ଫୋରଣ ଘଟିଛି । ସେଠାରେ କାର୍ଯ୍ୟରତ ଥିବା କିଛି ଶ୍ରମିକ ଓ ଇଞ୍ଜିନିୟର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଉପରେ ଗରମ ପାଣି ପଡ଼ିଯିବାରୁ କାର୍ଯ୍ୟରତ କର୍ମଚାରୀଙ୍କ ଦେହ କିଛି ମାତ୍ରାରେ ପୋଡ଼ି ଯାଇଥିବା କୁହାଯାଉଛି । ଗୁରୁତର ଥିବା ୧୯ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ ପ୍ଲାଣ୍ଟ ଭିତରେ ଥିବା ମେଡିକାଲ ଟିମ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ କଟକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଏହା ବି ପଢନ୍ତୁ- ଭୂମିକମ୍ପରେ ଥରିଲା ଉତ୍ତର ଭାରତ, 5.4 ତୀବ୍ରତା ରେକର୍ଡ
ଏହି ବିସ୍ଫୋରଣ ପ୍ରାୟ ୧ଟା ବେଳେ ଘଟିଥିବା ଜଣାପଡ଼ିଛି । ୧୯ ଗୁରୁତରଙ୍କ ମଧ୍ୟରୁ ୨ ଜଣ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଏନେଇ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି, "ଗରମ ପାଣି ଥିବା ଭଲ୍ବଟି ହଠାତ ଖୋଲି ଯାଇଥିଲା । ଫଳରେ ସେଠାରେ କାର୍ଯ୍ୟରତ ଥିବା ୧୯ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି ।"