ଦେବଗଡ: ସରକାରଙ୍କ ସ୍ୱଚ୍ଛ ମିଶନ ଅନ୍ତର୍ଗତ ବାହ୍ୟ ମଳମୁକ୍ତ ସହର ଭାବେ ଘୋଷିତ ହୋଇଛି ଦେବଗଡ଼ ପୌରାଞ୍ଚଳ । ମାତ୍ର ଦେବଗଡ଼ ପୌରାଞ୍ଚଳ ଅଧିନରେ ଥିବା ଛଅ ନମ୍ବର ୱାର୍ଡ ହାତିଶାଳ ସାହି ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପରିମଳ ଅବସ୍ଥା ଦେଖିଲେ ସରକାରଙ୍କ ଏହି ଘୋଷଣା କେବଳ କାଗଜପତ୍ରରେ ସୀମିତ ବୋଲି ମନେ ହେଉଛି ।
ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା ହୋଇଛି ଦେବଗଡ଼ ସହର । ମାତ୍ର ବାସ୍ତବ ସ୍ଥିତି ଯେ ସମ୍ପୂର୍ଣ୍ଣ ଅଲଗା ତାହା ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ୪୬ ଜଣ ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟର ପରିବେଶ ପାଲଟିଛି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର । ବିଦ୍ୟାଳୟ ଚତୁଃପାର୍ଶ୍ଵ ସହରର ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ପଡ଼ିଥିବା ବେଳେ ବିଦ୍ୟାଳୟ ପରିସରରେ ଖୋଲିଖୋଲି ଭାବେ ମଳତ୍ୟାଗ କରୁଛନ୍ତି ଲୋକେ । ଫଳରେ ବିଦ୍ୟାଳୟ ପରିସର ଅତ୍ୟନ୍ତ ଦୁର୍ଗନ୍ଧମୟ ଓ ପ୍ରଦୂଷିତ ହୋଇପଡ଼ିଛି ।
ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ । ବର୍ଯ୍ୟଜଳ ନିଷ୍କାସନ ପାଇଁ ବିଦ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ ବର୍ଷ ବର୍ଷ ଧରି ଆବର୍ଜନାରେ ଭର୍ତ୍ତି ହୋଇ ପଡିଛି । ବିଦ୍ୟାଳୟରେ ପାଚେରୀ ନଥିବାରୁ ବିଦ୍ୟାଳୟ ପରିସରରେ ବାହାର ଲୋକେ ଅନାୟସରେ ପ୍ରବେଶ କରି ଏହାର ପରିବେଶକୁ ଅପରିଷ୍କାର କରିଚାଲିଛନ୍ତି ।