ଓଡିଶା

odisha

ETV Bharat / state

ଆଦର୍ଶର ମାନ୍ୟତା ହରାଉଛି ତିଳେଇବଣି ଆଦର୍ଶ ବିଦ୍ୟାଳୟ

ଅବ୍ୟବସ୍ଥା ଘେରରେ ଦେବଗଡ ଜିଲ୍ଲା ତିଳେଇବଣି ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ଛାତ୍ରାବାସ ନଥିବାରୁ ହନ୍ତସନ୍ତ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

By

Published : Mar 13, 2020, 12:06 PM IST

ଆଦର୍ଶର ମାନ୍ୟତା ହରାଉଛି ତିଳେଇବଣି ଆଦର୍ଶ ବିଦ୍ୟାଳୟ
ଆଦର୍ଶର ମାନ୍ୟତା ହରାଉଛି ତିଳେଇବଣି ଆଦର୍ଶ ବିଦ୍ୟାଳୟ

ଦେବଗଡ: ଆଦିବାସୀ ହରିଜନ ତଥା ପଛୁଆବର୍ଗର ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ମିଳିବ ଉନ୍ନତମାନର ଗୁଣାତ୍ମକ ଶିକ୍ଷା । ଏହି ଲକ୍ଷ୍ୟ ନେଇ 2016ରେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ମହକୁମାରେ ସ୍ଥାପନା କରାଯାଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ । ମାତ୍ର ଏହି ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ସାଙ୍ଗକୁ ପ୍ରଶାସନିକ ଅବହେଳା ଯୋଗୁଁ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ ।

ଆଦର୍ଶର ମାନ୍ୟତା ହରାଉଛି ତିଳେଇବଣି ଆଦର୍ଶ ବିଦ୍ୟାଳୟ

ଏହି ବିଦ୍ୟାଳୟକୁ ଦୀର୍ଘ 4 ବର୍ଷ ବିତିଯାଇଛି । ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନର ଚରମ ଅବହେଳା କାରଣରୁ ଆଜି ଯାଏ ହଷ୍ଟେଲ ନିର୍ମାଣ ହୋଇପାରିନାହିଁ । ଫଳରେ ଏଠାରେ ଅଧ୍ୟୟନ କରୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 235 ଜଣ ଛାତ୍ରଛାତ୍ରୀ ଆଜିକୁ 4 ବର୍ଷ ହେବ ପ୍ରତିଦିନ ଦୂରଦୂରାନ୍ତରୁ ଆସୁଛନ୍ତି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଅଭିଭାବକଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି । କେବଳ ସେତିକି ନୁହେଁ ବିଦ୍ୟାଳୟର ଚାରିପାଖେ ପାଚେରୀ ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ଅନୁପ୍ରବେଶ ଜାରି ରହିଛି । ଫଳରେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ।

ସେପଟେ, ଏନେଇ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ଆସିଛନ୍ତି । ହେଲେ ଆଜି ଯାଏ କୌଣସି ସୁଫଳ ମିଳିପାରୁ ନାହିଁ । ଫଳରେ ଏନେଇ ଅଭିଭାବକଙ୍କ ମହଲରେ ତ୍ରୀବ ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କରେ ତିଳେଇବଣି ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ମଧୁସ୍ମିତା ପ୍ରଧାନ ଏହାକୁ ସ୍ବୀକାର କରିଛନ୍ତି । ଏହା ସହ ସେ କହିଛନ୍ତି ଏ ବିଷୟରେ ସେମାନେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଗୋଟିଏ ପଟେ ସରକାର ଆଦର୍ଶ ବିଦ୍ୟାଳୟର ଆଦର୍ଶ ନେଇ ଡିଣ୍ଡିମ ପିଟୁଥିବାବେଳେ, ତିଳେଇବଣି ଆଦର୍ଶ ବିଦ୍ୟାଳୟର ଏହି ଅବ୍ୟବସ୍ଥା ସରକାରଙ୍କ ଲକ୍ଷ୍ୟଚ୍ୟୁତ କରୁଥିବା ମନେ କରୁଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details