ଦେବଗଡ଼: ବର୍ଷ ପରେ ବର୍ଷ ବିତି ଚାଲିଛି, ଟେଣ୍ଡର ପରେ ଟେଣ୍ଡର ଡକାଯାଉଛି, ଠିକାଦାର ପରେ ଠିକାଦାର ବଦଳି ଚାଲିଛନ୍ତି । ତଥାପି ସରିପାରୁନି କଳା ପରିଷଦ କୋଠାର ନିର୍ମାଣ କାର୍ଯ୍ୟ । ପ୍ରଶାସନିକ ଅବହେଳାର ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳରେ ।
ଦେବଗଡ଼ ଜିଲ୍ଲାରେ କଳାର ବିକାଶ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ଅତ୍ୟାଧୁନିକ କଳା ପରିଷଦ କୋଠାର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ଗତ 2012-13 ମସିହା ଆର୍ଥିକ ବର୍ଷରେ ସରକାର ଏଥି ପାଇଁ ଦେବଗଡ଼ ପୌର ପରିଷଦକୁ 50 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦେଇଥିଲେ । ଦେବଗଡ଼ ପୌର ପରିଷଦ ପକ୍ଷରୁ ଗତ 2014 ମସିହାରେ ସ୍ଥାନୀୟ ଘରୋଇ ବସ ଷ୍ଟାଣ୍ଡ ନିକଟରେ ଥିବା ପୁରାତନ କଳା ପରିଷଦ କୋଠାକୁ ଭାଙ୍ଗି ସେଠାରେ ଅତ୍ୟାଧୁନିକ କଳା ପରିଷଦ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ବିଡମ୍ବନାର ବିଷୟ ଯେ, ଇତିମଧ୍ୟରେ ଦୀର୍ଘ ସାତବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହି କୋଠାର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇପାରିନାହିଁ । ବାରମ୍ବାର ଟେଣ୍ଡର ପରେ ଟେଣ୍ଡର ଡକାଯାଉଛି, ଠିକାଦାର ପରେ ଠିକାଦାର ବଦଳି ଚାଲିଛନ୍ତି, ହେଲେ କୋଠାର ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନାହିଁ ।