ଦେବଗଡ: ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରେ ଲିଚୁ ଉତ୍ପାଦନ ବହୁ ମାତ୍ରାରେ ହ୍ରାସ ପାଇଛି । ଫଳରେ ଜିଲ୍ଲାର ବିଭିନ୍ନ ବଜାରରୁ ଲିଚୁ ଗାଏବ ହୋଇଯିବା ସହ ଏନେଇ ଲିଚୁଚାଷୀଙ୍କ ମହଲରେ ନୈରାଶ୍ୟଭାବ ପରିଲକ୍ଷିତ ହୋଇଛି ।
ଅଦିନିଆଁ ବର୍ଷା ଯୋଗୁଁ ଲିଚୁଚାଷ ପ୍ରଭାବିତ ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାର ଉର୍ବର ମୃତ୍ତିକା ଓ ଜଳବାୟୁ ବିଶେଷ କରି ଲିଚୁଚାଷ ପାଇଁ ବେଶ ଉପଯୋଗୀ । ତେଣୁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରତିବର୍ଷ ବହୁଳ ଭାବରେ ଲିଚୁଚାଷ କରାଯାଇଥାଏ ।
ଅଦିନିଆଁ ବର୍ଷା ଯୋଗୁଁ ଲିଚୁଚାଷ ପ୍ରଭାବିତ ଏଠାରୁ ଉତ୍ପାଦିତ ଉନ୍ନତ ମାନର ଲିଚୁର ବଜାରରେ ବେଶ ଚାହିଦା ରହିଥିବାରୁ ଲିଚୁଚାଷୀମାନେ ପ୍ରତିବର୍ଷ ଏଥିରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ।
ମାତ୍ର ଚଳିତ ବର୍ଷ ଜଳବାୟୁରେ ପରିବର୍ତ୍ତନ ତଥା ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଜିଲ୍ଲାରେ ଲିଚୁଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାରେ 700 ହେକ୍ଟର ପରିମିତ ବଗିଚାରେ ଲିଚୁଚାଷ କରାଯାଇଥିବାବେଳେ ସେଥିମଧ୍ୟରୁ ମାତ୍ର 540 ହେକ୍ଟର ବଗିଚାରେ ଫଳ ଆସିଥିଲା ।
ହେଲେ ଲିଚୁ ଫଳ ଧରିବା ସମୟରେ ଜିଲ୍ଲାରେ ଦେଖାଦେଇଥବା ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଅଧିକାଂଶ ଲିଚୁ ଗଛରେ ପଚିସଢ଼ି ନଷ୍ଟ ହୋଇଗଲା ।
ତେଣୁ ଚଳିତ ବର୍ଷ ଜିଲ୍ଲାରେ ଆଶାନୁରୂପ ଲିଚୁ ଉତ୍ପାଦିତ ହୋଇପାରିନାହିଁ। ଫଳରେ ପ୍ରତିବର୍ଷ ମେ ମାସରେ ଲିଚୁ ବଜାରରେ ବିକ୍ରି ହେଉଥିବାବେଳେ ଚଳିତ ବର୍ଷ ବିଭିନ୍ନ ବଜାରରୁ ଲିଚୁ ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯାଇଛି । ଯାହାକି ଜିଲ୍ଲାର ଲିଚୁଚାଷୀଙ୍କୁ ନିରାଶ କରିଛି ।
ପରିବର୍ତ୍ତିତ ପରିବେଶ ଓ ଜଳବାୟୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ କିଭଳି ଅଧିକ ପରିମାଣରେ ଲିଚୁ ଉତ୍ପାଦିତ ହୋଇପାରିବ ସେ ଦିଗରେ ଉଦ୍ୟାନ ବିଭାଗ ପକ୍ଷରୁ ଲିଚୁଚାଷୀଙ୍କୁ ଉପଯୁକ୍ତ ତାଲିମ ଦିଆଯିବାକୁ ଜନସାଧାରଣରେ ଦାବି ହେଉଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ