ଓଡିଶା

odisha

ETV Bharat / state

ଜବରଦଖଲକାରୀଙ୍କ କବଜାରେ ଜଳାଶୟ, ରାଜନୈତିକ ଚାପରେ ପ୍ରଶାସନ ଚେପା ! - ଷୋହଳ ବଖରୀ କଟା

ଦେବଗଡ଼ର ସର୍ବ ପୁରାତନ ଜଳାଶୟ ଷୋହଳ ବଖରୀ କଟା ଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି । ଅଭିଯୋଗ ପରେ ମଧ୍ୟ ରାଜନୈତିକ ଚାପରେ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଶିଥିଳ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 25, 2023, 7:31 PM IST

ଜବରଦଖଲକାରୀଙ୍କ କବଳରେ ଜଳାଶୟ

ଦେବଗଡ଼: ଜବରଦଖଲକାରୀଙ୍କ କବଳରେ ସହରର ସର୍ବ ପୁରାତନ ଜଳାଶୟ ଷୋହଳ ବଖରୀ କଟା । ଜଳାଶୟ ଜମିକୁ ବେଆଇନ ଅକ୍ତିଆର କରି ବେଧଡକ ଭାବେ କୋଠାବାଡ଼ି ଗଢି ଚାଲିଛନ୍ତି ପ୍ରଭାବଶାଳୀ ବ୍ୟକ୍ତିବିଶେଷ । ଏହି ଜମିରୁ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବାରେ ବାରମ୍ବାର ବିଫଳ ହେଉଛି ପ୍ରଶାସନ । ଫଳରେ ଏନେଇ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସହରବାସୀ ।

ଦେବଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ କଲେଜ ରାସ୍ତା କଡରେ ଓ ଶନି ମନ୍ଦିର ସମ୍ମୁଖରେ ରହିଛି ସହରର ସର୍ବ ପୁରାତନ ଜଳାଶୟ ଷୋହଳ ବଖରୀ କଟା । ରାଜା ରାଜୁଡା ଅମଳରୁ ଖୋଳା ଯାଇଛି ଏହି କଟା । ସରକାରୀ ରେକର୍ଡ ଅନୁଯାୟୀ ମୋଟ 7 ଏକର 32 ଡିସମିଲ ଏରିଆରେ ରହିଛି ଏହି କଟା । ରାଜା ରାଜୁଡା ଅମଳରେ ସହରରେ ଭୂତଳ ଜଳ ନିୟନ୍ତ୍ରଣ ତଥା ସହରବାସୀ ଙ୍କ ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବାକୁ ଏହି କଟା ଖୋଳାଯାଇଥିଲା । ଏହି କଟାରେ ବର୍ଷ ତମାମ ପ୍ରାୟ ୮ଫୁଟରୁ ୧୦ ଫୁଟ ଜଳ ରହୁଥବା ବେଳେ ଏହା ସହରର ଭୂତଳ ଜଳସ୍ତର ନିୟନ୍ତ୍ରଣ କରୁଥିଲା ଓ ସହରବାସୀ ନିଜର ଦୈନନ୍ଦିନ କାର୍ଯ୍ୟ ଲାଗି ଏହି ଜଳାଶୟ ଉପରେ ନିର୍ଭର କରୁଥିଲେ ।

ଏହି ଜଳାଶୟରେ ଜଳସ୍ତର ହ୍ରାସ ପାଇନଥିବାରୁ ସହରରେ ପାନୀୟଜଳ ସଙ୍କଟ ସେତେଟା ଦେଖାଦେଉନଥିଲା । ରାଜତନ୍ତ୍ରର ବିଲୋପ ପରେ ଏହି ଜଳାଶୟର ଦାୟିତ୍ବ ଏବେ ସରକାରଙ୍କ ଅଧୀନକୁ ଚାଲିଯାଇଛି । ଦେବଗଡ଼ ପୌର ପରିଷଦ ଅଧୀନରେ ରହିଛି ଏହି ପୁରାତନ ଜଳାଶୟ । ମାତ୍ର ପରିତାପର ବିଷୟ ଆଜକୁ ଦୀର୍ଘ ବର୍ଷ ହେବ ଏହି ଜଳାଶୟଟି ରକ୍ଷଣା ବେକ୍ଷଣ ଅଭାବରୁ ପରିତ୍ୟକ୍ତ ଭାବେ ପଡିରହି ପୋତି ହେବାକୁ ବସିଥିବା ବେଳେ ଏହା ଉପରେ ପଡିଛି କିଛି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି । ସହରର କିଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଏହି ଜଳାଶୟର ପ୍ରାୟ ୨ ଏକରରୁ ଅଧିକ ଜାଗା ବେଆଇନ ଭାବେ ଜବରଦଖଲ କରି ସେଠାରେ କୋଠାବାଡି ନିର୍ମାଣ କରି ଚାଲିଛନ୍ତି ।

ଏହା ବି ପଢନ୍ତୁ- ଭୂତକୋଠି ପାଲଟିଛି ଐତିହାସିକ ଧର୍ମଶାଳା, ପଡୁନି ପ୍ରଶାସନର ଦୃଷ୍ଟି

କେବଳ ସେତିକି ନୁହେଁ ଜବରଦଖଲକାରୀମାନେ ଏହି ଜଳାଶୟରେ ନିଜ ପାଇଖାନା ନିର୍ମାଣ କରି ପାଇଖାନା ଟାଙ୍କିର ଆବର୍ଜନା ପାଣି ଏହି ଜଳାଶୟକୁ ଛାଡୁଥିବାରୁ ଜଳାଶୟଟି ଅତ୍ୟନ୍ତ ପ୍ରଦୂଷିତ ଓ ଦୁର୍ଗନ୍ଧମୟ ହୋଇପଡିଛି । ସେପଟେ ପୂର୍ବତନ ପୌର କର୍ତ୍ତୃପକ୍ଷ ଏହି କଟାର ପୁନରୁଦ୍ଧାର କରିବା ଓ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବା ପରିବର୍ତ୍ତେ ସରକାରୀ ଅର୍ଥ ଅପବ୍ୟୟ କରି ଜଳାଶୟ ମଧ୍ୟରେ ଏକ ଡ୍ରେନ ନିର୍ମାଣ କରାଇ ଜବରଦଖଲ କାରୀଙ୍କୁ ସୁରକ୍ଷା ଦେଇ ଆସିଥିବା ଅଭିଯୋଗ ହେଉଛି ।

ଏହି ପୁରାତନ ଜଳାଶୟର ପୁନରୁଦ୍ଧାର କରାଯିବା ଓ ଜବରଦଖଲକାରୀଙ୍କୁ ଏଠାରୁ ଉଚ୍ଛେଦ କରାଯିବା ପାଇଁ ସହରବାସୀ ଦୀର୍ଘ ସମୟ ହେଲା ଦାବି କରି ଆସୁଛନ୍ତି । ସହରବାସୀଙ୍କ ଦାବିକୁ ଯଥାର୍ଥତା ମନେକରି ବର୍ତ୍ତମାନ ପୌର କର୍ତ୍ତୃପକ୍ଷ ତଥା କାଉସିଲ ଗତ ଜାନୁଆରୀ ମାସଠାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏଥିପାଇଁ ୨ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି । ହେଲେ ଏହି କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି ଜବରଦଖଲ । ଜବରଦଖଲ ଉଚ୍ଛେଦ ହୋଇପାରୁନଥିବାରୁ ଜଳାଶୟରେ ପୁନରୁଦ୍ଧାର କାର୍ଯ୍ୟ ସୁଚାରୁରୂପେ ହୋଇପାରୁନାହିଁ ।

ଜଳାଶୟରୁ ଜବରଦଖଲ ଉଚ୍ଛେଦ ପାଇଁ ଗତ କିଛିମାସ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷ ମିଳିତ ଭାବେ ଏରିଆ ଚିହ୍ନଟ କରି ଜବରଦଖଲ କାରୀଙ୍କୁ ଜାଗା ଛାଡିବାକୁ ନିର୍ଦ୍ଦେଶ ଦେବା ସହ ୧୫ଦିନ ସମୟ ଦେଇଥିଲେ । ହେଲେ ଇତିମଧ୍ୟରେ କିଛିମାସ ବିତିଯାଇଥିଲେ ମଧ୍ୟ ପ୍ରଭାବଶାଳୀ ଜବରଦଖଲକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ । ପ୍ରଭାବଶାଳୀ ଜବରଦଖଲକାରୀଙ୍କ ଶାସକ ଦଳ କିଛି ନେତାଙ୍କ ସହିତ ସୁସମ୍ପର୍କ ରହୁଥିବାରୁ ରାଜନୈତିକ ଚାପ ଆଗରେ ପ୍ରଶାସନ ଓ ପୌର କର୍ତ୍ତୃପକ୍ଷ ମୁଣ୍ଡ ନୁଆଇଁ ଚୁପଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଇଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details