ଦେବଗଡ଼: ସୁଗୁଡା ରାଜସ୍ବ ସର୍କଲ ଅନ୍ତର୍ଗତ ନୂଆଗାଁରେ ମାଟି, ବାଲି ଓ ପଥର ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜକୁ ଦୀର୍ଘଦିନ ହେଲା ଦେବଗଡ଼ ସହରର କେତେକ ମାଫିଆ ଗୋଷ୍ଠୀ ନୂଆଗାଁ ମୌଜାର ବାଳିଆପିଟା ନାଳ ଓ ଗାଁ ନିକଟସ୍ଥ ସରକାରୀ ଜାଗାରୁ ବେଆଇନ ଭାବେ ଶହ ଶହ ଟ୍ରିପ ମାଟି, ବାଲି ଓ ପଥର ଚୋରା ଚାଲାଣ କରି ଆସୁଛନ୍ତି । ପ୍ରତିଦିନ ସ୍ପଷ୍ଟ ଦିବାଲୋକରେ ଏଠାରୁ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟ୍ରିପ ମାଟି, ବାଲି ଓ ପଥର ଆଦି ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଭାବେ ଲୁଟ କରାଯାଉଛି ।
ତେବେ ବାରମ୍ବାର ଅଭିଯୋଗ ମଧ୍ୟ ଏଥିପ୍ରତି କିଭଳି ରାଜସ୍ବ ବିଭାଗ କତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନାହିଁ , ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏଥିଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବାବେଳେ ଅନ୍ୟପଟେ ମୃତ୍ତିକା କ୍ଷୟ ଯୋଗୁଁ ବାଳିଆପିଟା ନାଳର ଗତିପଥ ମଧ୍ୟ ବଦଳିବାରେ ଲାଗିଛି । ଫଳରେ ବନ୍ୟା ହେଲେ ନୂଆଗାଁ ଓ ଆଖପାଖ ଅଞ୍ଚଳ ନାଳ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି ।