ଦେବଗଡ଼: ଜିଲ୍ଲା ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ କଳାମାଟି ଗାଁ ନିକଟରେ ରହିଛି ମାଙ୍କଡ଼ିଆ ବସ୍ତି । ଏହି ବସ୍ତିରେ ଆଜକୁ ଦୀର୍ଘ 15 ବର୍ଷରୁ ଉର୍ଦ୍ଧ୍ବ ହେବ ବସବାସ କରୁଛନ୍ତି 80ରୁ ଅଧିକ ବିରଳ ଆଦିମ ଜନଜାତି ମାଙ୍କଡ଼ିଆ ପରିବାର । ଏହି ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ନା ଅଛି ପକ୍କା ଘର ନା ମିଳୁଛି ସରକାରୀ ସହାୟତା । ଫଳରେ କିଏ ଝାଟିମାଟି ପତ୍ର କୁଡ଼ିଆରେ ତ, ପୁଣି କିଏ ଭଙ୍ଗା ଦଦରା ପଲିଥିନ ଟଣା କୁଡ଼ିଆରେ ପିଲାଛୁଆଙ୍କୁ ଧରି ଅତି ଦୟନୀୟ ଭାବେ ଦିନ କାଟିଆସୁଛନ୍ତି ।
ପଲିଥିନ ତଳେ ବିତୁଛି ବିରଳ ମାଙ୍କଡ଼ିଆ ଜନଜାତିଙ୍କ ପରିବାର, ସାତ ସପନ ପାଲଟିଛି ଆବାସ ଯୋଜନା - ପକ୍କାଘର
ଏଠି ସରକାରୀ ଯୋଜନା ସତେ ଯେମିତି ସାତ ସପନ । ନା ଅଛି ଖଣ୍ଡେ ପକ୍କାଘର ନା ଅନ୍ୟ କୌଣସି ସରକାରୀ ସୁବିଧା । ପଲିଥିନ ଘରେ ଜୀବନ ବିତାଉଛନ୍ତି 80 ରୁ ଅଧିକ ବିରଳ ଆଦିମ ଜନଜାତି ମାଙ୍କଡ଼ିଆ ପରିବାର । ଅଧିକ ପଢନ୍ତୁ...
ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କୁ ପକ୍କା ଵାସଗୃହ ଯୋଗାଇ ଦେବା ଲକ୍ଷରେ ସରକାର ବିଜୁ ପକ୍କାଘର ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ କେତେ କଣ ଯୋଜନା ରହିଛି । ହେଲେ ଏମାନଙ୍କ ପାଇଁ ଏହି ସବୁ ଯେମିତି ସାତସପନ । ଏହି ମାଙ୍କଡ଼ିଆ ପରିବାରଙ୍କ ଦୟନୀୟ ଅବସ୍ଥାରେ ଦେଖିଲେ ଏଠାରେ ସରକାରଙ୍କ ଆବାସ ଯୋଜନା ଯେପରି ଉପହାସ ସଦୃଶ ହୋଇଛି । ପକ୍କା ଘର ଖଣ୍ଡିଏ ପାଇବା ପାଇଁ ବର୍ଷ ବର୍ଷ ଧରି ଚାତକ ଭଳି ଚାହିଁ ରହିଥିବା ଏହି ମାଙ୍କଡ଼ିଆ ପରିବାରଙ୍କୁ କେବେ ଘର ଖଣ୍ଡିଏ ମିଳୁଛି ତାହା ସମୟ କହିବ ।
ଦେବଗଡ଼ରୁ ସରୋଜ ଶତପଥି , ଇଟିଭି ଭାରତ