ଦେବଗଡ଼: ହାତୀ ହଜାଇ ଦେଇଛି ରାତିର ନିଦ । ନିଜ ନିଜ ଫସଲ ବଞ୍ଚାଇବାକୁ ସାରା ରାତି ଉଜାଗର ରହି ହାତୀ ଘଉଡାଉଛନ୍ତି ଗ୍ରାମବାସୀ । ଏମିତି ସ୍ଥିତି କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ।
ହାତୀ ପାଇଁ ଉଜାଗର ଗ୍ରାମବାସୀ, ଥମୁନି ଉପଦ୍ରବ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ଜିଲ୍ଲାର ରିଆମାଳ, ବାରକୋଟ ଓ ଦେବଗଡ଼ ରେଞ୍ଜର ବିଭିନ୍ନ ଗ୍ରାମାଞ୍ଚଳରେ ଶହ ଶହ ସଂଖ୍ୟାରେ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରି ଚାଲିଛନ୍ତି । ବିଶେଷ କରି ଦେବଗଡ଼ ରେଞ୍ଜ ଅଧିକ ସୁଗୁଡା, ଛେପଲିପାଲି, ଧୋବଲିପଥର , ବଡାଛାପଲ, ତିରିବି, ନଳବନ୍ଧ, କଦଳିପାଳ, କୁଶପଙ୍ଗା, ବାରକୋଟ ରେଞ୍ଜ ଅଧିନ ଦନ୍ତାରିବାହାଳ, ବୃନ୍ଦାବନପୁର, ଗୌଡ଼ସୁଗୁଡା, ଦଣ୍ଡାସିଂଘା, ଉଟୁଣିଆ ମୁଣ୍ଡା ଓ ରିଆମାଳ ରେଞ୍ଜ ଅଧିନ ଖିଲେଇ, ତଳେଇସର, ରଂଜଣା, ସିଆରୀମାଳିଆ, ବାଘବର, ନୂଆଡ଼ିହି ଆଦି ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ ଅସହ୍ୟ ହେବାରେ ଲାଗିଛି ।
ଏ ସମସ୍ତ ଅଂଚଳରେ ହାତୀପଲ ବିଗତ କିଛିମାସ ମଧ୍ୟରର ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ହାତୀ ଦାଉରୁ ନିଜ ଫସଲ ରକ୍ଷା କରିବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ଶହ ଶହ ସଂଖ୍ୟାରେ ଲୋକେ ରାତି ଉଜାଗର ରହି ହାତରେ ମଶାଲ ଓ ଟର୍ଚ୍ଚ ଧରି ହାତୀ ଘଉଡାଇବାରେ ଲାଗିଛନ୍ତି । ପ୍ରତିଦିନ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲୋକେ ନିଦ ଭୁଲିଯାଇ ଦଳ ଦଳ ହୋଇ ରାସ୍ତା ଉପରେ ଛିଡା ହୋଇ ହାତୀ ଘଉଡାଉ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।
ବିଗତ କିଛିଦିନ ହେଲା ଦେବଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ପ୍ରାୟ 150ରୁ ଊର୍ଦ୍ଧ ହାତୀ ବିଚରଣ କରୁଥିବା ଏକ ଆକଳନରୁ ଜଣାପଡ଼ିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ବନବିଭାଗ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରାଯିବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଉଜୁଡି ଯିବାର ଆଶଙ୍କା ଦେଖାଦେଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ