ଓଡିଶା

odisha

ETV Bharat / state

ଭୂତକୋଠି ପାଲଟିଛି ଐତିହାସିକ ଧର୍ମଶାଳା, ପଡୁନି ପ୍ରଶାସନର ଦୃଷ୍ଟି - ଦେବଗଡର ସର୍ବ ପୁରାତନ ଧର୍ମଶାଳା।

ପରିତ୍ୟକ୍ତ ଅବସ୍ଥାରେ ରାଜା ରାଜୁଡା ଅମଳରୁ ନିର୍ମିତ ଧର୍ମଶାଳା । ପ୍ରଶାସନର ଅବହେଳା କାରଣରୁ ହୋଇପାରୁନି ରକ୍ଷଣାବେକ୍ଷଣ । ଅଧିକ ପଢନ୍ତୁ

dharamshala lost its identity
dharamshala lost its identity

By

Published : Apr 22, 2023, 12:33 PM IST

dharamshala lost its identity

ଦେବଗଡ:ଅବହେଳିତ ଅବସ୍ଥାରେ ଦେବଗଡର ସର୍ବପୁରାତନ ଧର୍ମଶାଳା । ରକ୍ଷାଣବେକ୍ଷଣ ଅଭାବରୁ ଏବେ ଭୂତକୋଠିରେ ପରିଣତ ହୋଇଛି ରାଜା ରାଜୁଡା ଅମଳରୁ ନିର୍ମିତ ହୋଇଥିବା ଏହି ଧର୍ମଶାଳା । ଦୀର୍ଘ ବର୍ଷ ହେଲା ଧର୍ମଶାଳା ପରିତ୍ୟକ୍ତ ଭାବେ ପଡିରହିଥିବା ବେଳେ ଏହାପରେ ନା ପଡୁଛି ପ୍ରଶାସନର ନଜର ନା ବଦଳୁଛି ଏହାର ପାରିପାର୍ଶ୍ବିକ ସ୍ଥିତି । ସ୍ଥାନୀୟ ପ୍ରଶାସନ ଏହାକୁ ପୁନରୁଦ୍ଧାର କରି ବ୍ୟବହାରକ୍ଷମ କରାଇବାକୁ ସାଧାରଣରେ ଦାବି ହୋଇଛି ।

ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ 3 ନମ୍ବର ୱାର୍ଡ ଶାସନ ସାହି ମୁଖ୍ୟରାସ୍ତା କଡରେ ରହିଛି ଜିଲ୍ଲାର ସର୍ବ ପୁରାତନ ଧର୍ମଶାଳା । ଏହି ଧର୍ମଶାଳାକୁ ପୂର୍ବତନ ବାମଣ୍ଡା ରାଜ୍ୟର ତତ୍କାଳୀନ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ନିର୍ମାଣ କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପ୍ରଜା ଓ ରାଜ୍ୟ ବାହାରୁ ଆସୁଥିବା ଅତିଥିମାନେ ଏଠାରେ ମାଗଣାରେ ରହିବା ନେଇ ସେ ବ୍ୟବସ୍ଥା କରିଥିଲେ । ଅତିଥିମାନଙ୍କ ରହଣି ଓ ରାତ୍ରିଯାପନ ପାଇଁ ଏଠାରେ ବିଜୁଳି, ପାଣି ଠାରୁ ଆରମ୍ଭ କରି ଆରାମଦାୟକ କୋଠରୀ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା ଉପଲବ୍ଧ ଥିଲା । ଏଥିପାଇଁ କୌଣସି ଶୁଳ୍କ ବ୍ୟବସ୍ଥା ମଧ୍ୟ ନଥିଲା ।

ରାଜତନ୍ତ୍ରର ବିଲୋପ ପରେ ଏହି ଧର୍ମଶାଳାଟି ସରକାରଙ୍କ ଅଧିନକୁ ଚାଲିଗଲା । ସରକାରଙ୍କ ରାଜସ୍ୱ ବିଭାଗ ଏହାର ରକ୍ଷଣାବେକ୍ଷଣ କରି ରେଭନ୍ୟୁ ରେଷ୍ଟସେଡରେ ପରିବର୍ତ୍ତିତ କରିଥିଲା । ଫଳରେ ସରକାରଙ୍କ ଅଧିନସ୍ଥ କର୍ମଚାରୀମାନଙ୍କ ରହଣି ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ବିଶେଷକରି ସରକାରୀ ବାସଭବନ ନଥିବା କର୍ମଚାରୀମାନଙ୍କୁ ଏଠାରେ ରହିବାର ବ୍ୟବସ୍ଥା କରଯାଇଥିଲା । 1963 ମସିହାରେ ସହରର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଏହି ଧର୍ମଶାଳାରେ ଦେବଗଡ଼ କଲେଜ ଅସ୍ଥାୟୀ ଭାବେ ପ୍ରତିଷ୍ଠା ହୋଇଥିଲା । ହେଲେ ଉକ୍ତ କଲେଜଟି ମାତ୍ର ଦୁଇ ବର୍ଷ ଚାଲିବା ପରେ ନିଜସ୍ୱ କୋଠାକୁ ସ୍ଥାନାନ୍ତରିତ ହୋଇଥିଲା ।

ପରେ ପୁଣି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହି ଧର୍ମଶାଳାଟି ପରିତ୍ୟକ୍ତ ଭାବେ ପଡ଼ି ରହିଲା । ଗତ 2006 ମସିହାରେ ଦେବଗଡ଼ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ତତ୍କାଳୀନ ଏସପି ପ୍ରବୀଣ କୁମାର ଏଠାରେ ଦୁଇବର୍ଷ ପାଇଁ ସିଆରପିଏଫ ଓ ଆଇଆରବି ପୋଲିସ ଯବାନମାନଙ୍କୁ ଥଇଥାନ କରାଇଥିଲେ । ଦୁଇବର୍ଷ ପରେ ଯବାନମାନେ ଏଠାରୁ ଚାଲିଯିବା ପରେ ପୁଣି ଅବ୍ୟବହୃତ ହୋଇ ପଡ଼ିରହିଲା । ଗତ 2016 ମସିହାରେ ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଉକ୍ତ କୋଠାକୁ ମରାମତି କରାଇ ଅନ୍ୱେଶା ଛାତ୍ରାବାସ କରି ସେଠାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରଖାଇଥିଲେ । ମାତ୍ର ଗତ 2021 ମସିହାରେ ଉକ୍ତ ଛାତ୍ରାବାସଟି ନିଜସ୍ୱ କୋଠାକୁ ସ୍ଥାନାନ୍ତର ହୋଇଯିବା ପରେ ଆଜକୁ ତିନି ବର୍ଷ ହେଲା ପୁଣିଥରେ ପରିତ୍ୟକ୍ତ ଭାବେ ପଡି ରହି ଭୂତକୋଠିରେ ପରିଣତ ହୋଇଛି । ସ୍ଥାନୀୟ ପ୍ରଶାସନର ଉଦାସୀନତା କାରଣରୁ ଏହା ରକ୍ଷଣାବେକ୍ଷଣ ହୋଇପାରୁନାହିଁ କିମ୍ବା ବ୍ୟବହାରକ୍ଷମ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।

କୋଠାର ଛାତ ଉପରେ ଗଛ ଉଠି ଯାଇଥିବା ବେଳେ କାନ୍ଥରେ ଫାଟ ସୃଷ୍ଟି ହେଲାଣି । ଏହି କୋଠାର ପରିସର ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଶୌଚାଳୟ ଓ ପରିଶ୍ରାଗାରରେ ପରିଣତ ହୋଇଛି । ଏହାର ରକ୍ଷଣାବେକ୍ଷଣ କରାନଗଲେ ଆଉ କିଛିଦିନ ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଐତିହାସିକ କୋଠାଟି ମାଟିରେ ମିଶିଯିବାର ଆଶଙ୍କା ରହିଛି । ତେଣୁ ଏନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ପ୍ରଶାସନ ଏହାକୁ ପୁନରୁଦ୍ଧାର କରି ବ୍ୟବହାରକ୍ଷମ କରାଇବାକୁ ସାଧାରଣରେ ଦାବି ହୋଇଛି।

ଇଟିଭି ଭାରତ ଦେବଗଡ଼

ABOUT THE AUTHOR

...view details