ଦେବଗଡ: ଜନମାନସରୁ ଲିଭିବାକୁ ବସିଛି ଦେବଗଡ଼ ଜିଲ୍ଲାର ଅନ୍ୟତମ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନସ୍ଥଳୀ କୁରୁଡ଼କୋଟ ଜଳପ୍ରପାତ । କ୍ରମାଗତ ଭାବେ ପ୍ରଶାସନିକ ଅବହେଳା କାରଣରୁ ବଣମଲ୍ଲି ବଣରେ ଫୁଟି ମଉଳି ଗଲା ଭଳି ମଉଳି ଯାଉଛି ଏହି ପର୍ଯ୍ୟଟନସ୍ଥଳୀର ଗୌରବମୟ ଐତିହ୍ୟ ।
ଦେବଗଡ଼ ସହର ଠାରୁ ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ କୁରୁଡ଼କୋଟ ଜଳପ୍ରପାତ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଗୁମ୍ଫାରୁ କୁଳୁକୁଳୁ ନାଦରେ ଭୂପୃଷ୍ଠ ଉପରକୁ ଝରି ଆସୁଥିବା ଝରଣାର ମନୋରମ ଦୃଶ୍ୟ ସହଜେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେବେ ଏହା ଯେ କେବଳ ଏକ ଜଳପ୍ରପାତ ତା'ନୁହଁ , ବରଂ ଏହାର ଏକ ଗୌରବମୟ ଐତିହ୍ୟ ରହିଛି । ଏହି ଜଳପ୍ରପାତରୁ ହିଁ ଏସିଆ ମହାଦେଶର ଦ୍ଵିତୀୟ ତଥା ଆମ ରାଜ୍ୟର ସର୍ବପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ ( Hydro Electricity Project ) ଆରମ୍ଭ ହୋଇଥିଲା ।
୧୯୧୬ ମସିହାରେ ତତ୍କାଳୀନ ବମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବ ନିଜର ବୈଷୟିକ ଜ୍ଞାନ କୌଶଳ ବଳରେ ଏହି ଜଳପ୍ରପାତର ଜଳକୁ ଆବଦ୍ଧ କରି ନିର୍ମାଣ କରିଥିଲେ ଜଳବିଦ୍ୟୁତ ପ୍ରକଳ୍ପ । ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିରେ ବାମଣ୍ଡା ରାଜଧାନୀ ତଥା ଦେବଗଡ଼ ସହର ଆଲୋକିତ ହେଉଥିଲା । ମାତ୍ର ରାଜତନ୍ତ୍ରର ବିଲୋପ ପରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା ଓ ଏହାର ଭଗ୍ନାବଶେଷ ଆଜି ବି ଏଠାରେ ଦେଖିବାକୁ ମିଳେ ।