ଦେବଗଡ: ଜିଲ୍ଲାରେ କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବା ଲକ୍ଷରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ପଲିଟେକ୍ନିକ ବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-19 ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।
ଏହି କୋଭିଡ ହସପିଟାଲରେ ମୋଟ 210 ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ କୋରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ କରାଯାଇଛି । ସେଠାରେ ଆବଶ୍ୟକ ଅକ୍ସିଜେନ ସପୋର୍ଟ ସିଷ୍ଟମ , ଡାକ୍ତର , ସ୍ବାସ୍ଥ୍ୟକର୍ମୀ ଓ ଆମ୍ବୁଲାନ୍ସ ସେବା ଉପଲବ୍ଧ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜିଲାରେ କୋରୋନା ସଂକ୍ରମଣର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ଜିଲାପାଳ ସୁଧାଂଶୁ ମୋହନ ସାମଲ ଏହାର ସମୀକ୍ଷା କରିଛନ୍ତି । ସେହିପରି ଏସ.ପି. ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୋଲିସ ବିଭାଗ ପକ୍ଷରୁ ଲକଡାଉନ ପ୍ରକ୍ରିୟାକୁ କଡ଼ାକଡି ଭାବେ ପାଳନ କରାଯିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।