ଦେବଗଡ଼:ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିହୁ ଅପହରଣ ମାମଲାର ହେଲା ପର୍ଦ୍ଦାଫାସ । ପୋଲିସ ହାତରେ ଧରାପଡିଲେ ୪ ଦୁର୍ଦ୍ଦାନ୍ତ ଅପହରଣକାରୀ । ଦୁଇ କୋଟି ଟଙ୍କା କମାଇବା ଉଦ୍ଦେଶ୍ୟରେ ହୋଇଥିଲା ଏହି ସୁଚିନ୍ତିତ ଅପହରଣ । ଏହି ଘଟଣା ସମ୍ପର୍କରେ ଆଜି ଦେବଗଡ଼ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦେବଗଡ଼ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର ।
ଗିରଫ ଅଭିଯୁକ୍ତମାନେ ହେଲେ ଘଟଣାର ମାଷ୍ଟର ମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ସହଯୋଗୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ମେଣ୍ଢିପାଲି (ସାଧୁବାହାଳ) ଗ୍ରାମର ଦୀପକ ନାଏକ, ଦେବଗଡ଼ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମର ରୋହିତ ପାତ୍ର, ଓ ଜରେଇକେଳା(କୈଳାସ) ଗ୍ରାମର ମହେଶ୍ୱର ଶଗଡିଆ ବେଲି ଜଣାପଡ଼ିଛି । ଅନ୍ୟପଟେ ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ 4ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଦେବଗଡ଼ ପୋଲିସ ଧାରା 357/363/364 A, 365/120B /34 IPCରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଏ ସମ୍ପର୍କରେ ଆଜି ଦେବଗଡ଼ ଆଦର୍ଶ ଥାନାରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ୧୮ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ନିଜ ଆଇ ସହ ଘରକୁ ଫେରୁଥିବା ବେଳେ ଜନଗହଳି ପୁର୍ଣ ମୁଖ୍ୟ ବଜାରଠାରେ ଘର ନିକଟରୁ ଆଇ କୋଳରୁ ଛଅ ବର୍ଷ ର ଶିଶୁ କନ୍ୟା ପିହୁକୁ ଝାମ୍ପି ନେଇଥିଲେ ଏହି ଅପହରଣ କାରି । ଅପହରଣ ଘଟଣାର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାଞ୍ଚଳରୁ ଅପହୃତା ଶିଶୁ ପିହୁକୁ ଉଦ୍ଧାର କରାଯାଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ଘଟଣା ଭିଆଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଛି ।