ରାଜ୍ୟର ୧୦ ଜିଲ୍ଲାରେ ଆରମ୍ଭ ହେଲା ଇ-କୋର୍ଟ, ଉଦଘାଟନ କଲେ CJI କଟକ: ରାଜ୍ୟର 10 ଟି ଜିଲ୍ଲାରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ। ଦେଶର ପ୍ରଧାନ ବିଚାରପତି, ଜଷ୍ଟିସ ଡଃ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏକକାଳୀନ 10 ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଖୋଲିବା ଦେଶରେ ପ୍ରଥମ ବୋଲି କହିଛନ୍ତି ପ୍ରଧାନ ବିଚାରପତି।
ରାଜ୍ୟର ଅବଶିଷ୍ଟ 20 ଟି ଜିଲ୍ଲାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ସେବା ଉପଲବ୍ଧ ହେବ। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅଗଣିତ ଜନତା ଅତି ସୁବିଧାରେ ନ୍ୟାୟିକ ସେବା ପାଇପାରିବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ।
ଆଜି କଟକରେ ଏହି ଉଦଘାଟନ ଉତ୍ସବ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ହାଇକୋର୍ଟର ସମସ୍ତ ବିଚାରପତି, ଆଇନଜୀବି ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ବଲାଙ୍ଗୀର, କୋରାପୁଟ ସୁନ୍ଦରଗଡ ସମ୍ବଲପୁର ଓ ପୁରୀ ଜିଲ୍ଲାରେ ଆଜିଠାରୁ ଭିସି କ୍ୟାବିନ ବା ଭର୍ଚୁଆଲ ହାଇକୋର୍ଟ ଆରମ୍ଭ ହୋଇଛି । ଯାହା ଦ୍ୱାରା, ଏହି 10 ଟି ଜିଲ୍ଲାରେ ହାଇକୋର୍ଟ ଭର୍ଚୁଆଲ ଜରିଆରେ କାମ କରିବ । ନିଜ ଅଞ୍ଚଳରେ ରହି ଜଣେ ମହକିଲ ଭର୍ଚୁଆଲ ମାଧ୍ୟମରେ ପିଟିସନ ଦାୟର କରିପାରିବେ। ସେଥିରେ ସଂଶୋଧନ ମଧ୍ୟ କରିପାରିବେ। ଭର୍ଚୁଆଲ ଦ୍ୱାରା ମାମଲାର ଶୁଣାଣି ମଧ୍ୟ କରାଯାଇପାରିବ। ଆଇନଜୀବି ମାନେ ମାମଲା ପରିଚାଳନା କରିପାରିବେ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଥିଲା। କିନ୍ତୁ ଭର୍ଚୁଆଲ କ୍ୟାବିନ ବ୍ୟବସ୍ଥା ଲାଗୁ ହେବାପରେ ସେଭଳି ସମସ୍ୟା ଆଉ ଉପୁଜିବ ନାହିଁ ବୋଲି ଆଶା କରାଯାଉଛି।
ଇଟିଭି ଭାରତ, କଟକ