କଟକ:ଧବଳେଶ୍ବର ପୀଠରେ ୧୪୪ ଧାରା । ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବେ ଭକ୍ତ । ଏଲଇଡି ସ୍କ୍ରିନ ମାଧ୍ୟମରେ ଭକ୍ତ କରିବେ ଦର୍ଶନ । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ପୋଲ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରି ସୂଚନା ଦେଇଛନ୍ତି ।
ଗୁଜୁରାଟର ମୋର୍ବିରେ ଝୁଲାପୋଲ ଟ୍ରାଜେଡି ପରେ ଧବଳେଶ୍ବର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ବର୍ତ୍ତମାନ କାର୍ତ୍ତିକ ମାସ ଥିବାରୁ ମନ୍ଦିରକୁ ଅଧିକ ଭକ୍ତଙ୍କ ସମାଗମ ହେଉଛି । ତେଣୁ ପୀଠକୁ ସଂଯୋଗ କରିଥିବା ଝୁଲା ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ପକ୍ଷରୁ ପୋଲରେ ଯାତାୟତ ଉପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।
ତେବେ ଆଗକୁ ବଡଓଷା ଆସୁଥିବାରୁ ଭକ୍ତଙ୍କ ଦର୍ଶନ ପାଇଁ ଲାଗିବ ଏଲଇଡି ସ୍କ୍ରିନ ଯାହାଦ୍ବାରା ଭର୍ଚୁଆଲ ମୋଡରେ ଦର୍ଶନ କରିବେ ଭକ୍ତ । ପୀଠର ବାହାରେ ଅର୍ଥାତ ନଦୀ କୂଳରେ ଏକ ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ । ଧବଳେଶ୍ବର ପୀଠକୁ କୌଣସି ଭକ୍ତଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିବ । କେବଳ ସେବାୟତଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ସେପଟେ ବଡଓଷା ମେଳା ଆୟୋଜନ ନେଇ ତର୍ଜମା ଚାଲିଛି । ଇଭେଣ୍ଟ ମ୍ୟାନେଜର ସହ ଆଲୋଚନା କରାଗଲା ପରେ ଜାଗା ସ୍ଥିର କରି ମେଳା କରାଯିବ । କିନ୍ତୁ ଝୁଲନ୍ତା ପୋଲରେ ଯାତାୟତ ପାଇଁ 144 ଧାରା ବଳବତ୍ତର ରଖାଯାଇଥିବା ଜିଲ୍ଳାପାଳ କହିଛନ୍ତି ।