ଓଡିଶା

odisha

ETV Bharat / state

ଆଜି ଶପଥ ନେବେ ହାଇକୋର୍ଟର ଦୁଇ ନୂଆ ବିଚାରପତି - ଶପଥ ନେବେ ହାଇକୋର୍ଟର ଦୁଇ ନୂଆ ବିଚାରପତି

ଆଜି ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ଦୁଇ ନୂଆ ଆଇନଜୀବୀ। ଅଧିକ ପଢନ୍ତୁ

new judge of odisha high court
new judge of odisha high court

By ETV Bharat Odisha Team

Published : Sep 5, 2023, 9:01 AM IST

କଟକ: ଆଜି ଶପଥ ନେବେ ନିଯୁକ୍ତି ପାଇଥିବା ହାଇକୋର୍ଟର ଦୁଇ ବିଚାରପତି ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା । ଦୁଇନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ସକାଳ ୧୦ଟା ସମୟରେ ହାଇକୋର୍ଟର ପୁରୁଣା ବିଲ୍ଡିଂ ରେ ଥିବା ନୂତନ କନଫରେନ୍ସ ହଲ ଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିଏମ୍‌ ଏ ସମ୍ପର୍କିତ ପ୍ରସ୍ତାବକୁ ‌ଅନୁମୋଦନ ପ୍ରଦାନ କରିଥିଲେ । ୨୦୨୩, ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ୟ ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ସୁପାରିସ କରିଥିଲେ । ଏହି ସୁପାରିସ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସହମତ ହୋଇଥିଲେ । ଏହାପରେ ଉଭୟଙ୍କ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯିବା ସହିତ ସୁପାରିସ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର


ଶିବ ଶଙ୍କର ମିଶ୍ର ଜୟପୁରଠାରେ ୧୯୬୮, ମେ ୩ରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଆଇନ ମହାବିଦ୍ୟାଳୟରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୧ରୁ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଆନନ୍ଦ ଚନ୍ଦ୍ର ବେହେରା ୧୯୬୪, ମେ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବରେ କାର୍ଯ୍ୟରତ ଅଛନ୍ତି ।


ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତିିରେ ଉଲ୍ଲେଖ କରାଯାଇଛି ଯେ, ଶିବ ଶଙ୍କର ମିଶ୍ର ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ । ତାଙ୍କର ୩୦ ବର୍ଷର ଆଇନଜୀବୀ ଭାବେ ଅଭିଜ୍ଞତା ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସମ୍ପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଅନ୍ ରେକର୍ଡ ଅଛନ୍ତି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ ‌କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି । ତାଙ୍କର ଅତି ଉତ୍ତମ ବ୍ୟକ୍ତିଗତ ଓ ପେଶାଗତ ଭାବମୂର୍ତ୍ତି ରହିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସେ ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।


ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେଶାଗତ ଭାବମୂର୍ତ୍ତି ରହିଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆନନ୍ଦ ଚନ୍ଦ୍ର ବେହେରା ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନକରି, ବିଚାରପତି ଭାବେ ନିଯୁକ୍ତି ପାଇଁ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା ହାଇକୋର୍ଟ କଲେଜିୟମରେ ଗ୍ରହଣ କରାଯାଇଥିବା ପ୍ରସ୍ତାବରେ ଏନେଇ କେତେକ କାରଣ ଦର୍ଶାଯାଇଥିଲା । ହାଇକୋର୍ଟ କଲେଜିୟମ ମତ ସହିତ ସୁପ୍ରିମକୋର୍ଟ କଲେଜିୟମ ସହମତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details