କଟକ: ରାଜ୍ୟରେ ଥମୁନାହିଁ BSKY (ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା) କାର୍ଡ ଜାଲିଆତି । ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ ସରକାରଙ୍କ ଏହି କାର୍ଡକୁ ଆଧାର କରି ଚଞ୍ଚକତା ସହ ଅନେକ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଜାଲିଆତି କରୁଛନ୍ତି । ପୂର୍ବରୁ କଟକରେ ମଧ୍ୟ ଏଭଳି ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ସେହିପରି ଆଜି ପୁଣି ଏକ ସଙ୍ଗୀନ ଅଭିଯୋଗ ଆସିଛି । ତେବେ ଏହିଭଳି ଜାଲିଆତି କରିବା ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡିଛି । ଏହି ଅଭିଯୋଗ ଆସିବା ପରେ କଟକ ମଧୁପାଟଣା ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଜାଲିଆତି କାରବାରରେ ସାଲେପୁର ଶୋଭା ନର୍ସିଂହୋମର ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲର ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ହସ୍ପିଟାଲରେ କାର୍ଡକୁ ସ୍ୱାପ୍ କରି ଅନ୍ୟ ହସ୍ପିଟାଲରେ ଚିକତ୍ସା କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ଏବଂ ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । BSKY କାର୍ଡ ଘୋଟଲା ଘଟଣାରେ କମିଶନରେଟ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବନ୍ଧା ହୋଇଛନ୍ତି ସାଲେପୁରସ୍ଥିତ ଶୋଭା ନର୍ସିଂହୋମ ଘର ମାଲିକ ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତି । ତେବେ ଏହି କାରବାରର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ଓ ସବିତା ସ୍ୱାଇଁ ଏବେ ଫେରାର ଅଛନ୍ତି । ଚିନ୍ମୟ ଯଦିଓ କୋର୍ଟରୁ ବେଲ୍ ପାଇଛନ୍ତି, ତେବେ ବେଲକୁ ଖାରଜ କରିବା ପାଇଁ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି । ବେଲ୍କୁ ରଦ୍ଦ କରିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଆଜି ଏଡିସିପି ସ୍ପଷ୍ଟ କରିଛନ୍ତି ।