କଟକ:ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବିଜୟ ଶଙ୍କର । ତିର୍ତ୍ତୋଲ ବିଧାୟକ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ହେଲେ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ସେ ଆବେଦନ କରିଛନ୍ତି । ଏନେଇ କଟକ ସବ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ଆବେଦନର ଏକ ମାସ ପରେ ଉଭୟ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବେ । ଏହି ସମୟରେ ୩ ଜଣ ସାକ୍ଷୀ ମଧ୍ୟ ଉପସ୍ଥିତ ରହିବେ । ତେବେ ୯୦ ଦିନ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବ ବୋଲି କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ସୂଚନା ଦେଇଛନ୍ତି । ତେବେ ଯେଉଁ ଯୁବତୀଙ୍କ ସହ ବିଧାୟକଙ୍କ ନୂଆ ପ୍ରେମ ଗଢି ଉଠିଥିବା ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ସେ ଆବେଦନ କରିଥିବା ଚର୍ଚ୍ଚା କରିଛନ୍ତି ।
ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା । ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରି ରଖିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଧାୟକ କ୍ଲିନଚିଟ୍ ପାଇ ନାହାନ୍ତି । ଏଭଳି ସ୍ଥିତିରେ ସେ ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି । ପୁଣି ବିବାହ ପାଇଁ ଆବେଦନ ବିଜୟ ଶଙ୍କରଙ୍କ ପାଇଁ ଆଗକୁ ଅଡ଼ୁଆ ସୃଷ୍ଟି କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।