କଟକ:ଗୋଳିଆ ହେଉଛି କଟକ ରାଜନୀତି । କଂଗ୍ରେସ ସହ ଭଲ ସଂପର୍କ ନଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନେଇ ବଢୁଛି ଚର୍ଚ୍ଚା । କୁହାଯାଉଛି ମୋକିମ କଂଗ୍ରେସ ଛାଡି ବିଜେପିରେ ମିଶିବେ । ଯଦିଓ ଏନେଇ ମୋକିମ ସିଧାସଳଖ ଉତ୍ତର ରଖିନାହାନ୍ତି, ତଥାପି ଆଜି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ପରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ବିଧାୟକ ମୋକିମ ବିଜେପିରେ ମିଶିବାକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ କଟକ ବିଜେପି ଜିଲ୍ଲା ସଭାପତିଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଦୁଇ ଗୁଣିତ ହୋଇଛି ।
ଆଜି କଟକରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋକିମ ପ୍ରଶଂସା କରିଛନ୍ତି । ଯେଉଁ ବିଧାୟକ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବାରମ୍ବାର ପ୍ରତିବାଦ କରୁଥିଲେ, ହଠାତ ନରମିଗଲେ କେମିତି ? ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ କେମିତି ? ଯାହା କଟକ ରାଜନୈତିକ ପାଣିପାଗକୁ ଗୋଳିଆ କରିଦେଇଛି । ଯଦିଓ କଂଗ୍ରେସ ସହ ତାଙ୍କର ସମ୍ପର୍କ ସେତେଟା ପୂର୍ବଭଳି ନଥିଲା । ତଥାପି କଂଗ୍ରେସରେ ମୋକିମ ଅଛନ୍ତି ବୋଲି ସେ କହୁଥିଲେ । ମାତ୍ର ଆଜି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ଯାହାକି ଅନେକ ଦିଗକୁ ଇସାରା ଦେଉଛି । ତେବେ ଏନେଇ ମୋକିମ ଚତୁରତାର ସହ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବେକାର ଥିବା ଯୁବପିଢୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ସେ ଏହାକୁ ପ୍ରଶଂସା କରିଛନ୍ତି ।
ଏହା ବି ପଢନ୍ତୁ- ଯୁବବର୍ଗଙ୍କୁ ଦୀପାବଳୀ ଭେଟି, ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ