କଟକ:'ଜାଗା ମିଶନ'ରେ ଜମି ପଟ୍ଟା ବାଣ୍ଟିବା ପ୍ରସଙ୍ଗକୁ ନେଇ ପୁଣି ଦେଖାଦେଇଛି ବିବାଦ । ବସ୍ତି ବାସିନ୍ଦାଙ୍କ ନ୍ୟାୟ ପାଇଁ CMCକୁ ଟାର୍ଗେଟ କରିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । ଜମି ବଣ୍ଟନରେ ଟାଳଟୁଳ ନୀତି ଅବଲମ୍ବନର ଅଭିଯୋଗ କରି ମଞ୍ଚ ଆବାହକ ଖଗେଶ୍ୱର ସେଠୀ କହିଛନ୍ତି,"ବସ୍ତି ବାସିନ୍ଦାଙ୍କ ପାଇଁ ବିମୁଖ ସରକାର । ଜାଗା ମିଶନରେ ଜମି ପଟ୍ଟା ବାଣ୍ଟିବାରେ କୌଣସି ସତ୍ୟାସତ୍ୟ ନାହିଁ । ବର୍ତ୍ତମାନ ସମୟରେ CMC ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେବା କେବଳ ଏକ ଭେଳିକି ସଦୃଶ । ନିର୍ବାଚନ ଆସିଲେ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ତାଙ୍କର ମିଥ୍ଯା ପ୍ରଚାରର ପେଡ଼ି ଖୋଲିଥାନ୍ତି ।"
"ଠିକ୍ ସେହିପରି କଟକ ମହାନଗର ନିଗମ ବସ୍ତି ଗୁଡ଼ିକୁ 'ବିଜୁ ଆଦର୍ଶ କଲୋନୀ' ନାଁରେ ନାମକରଣ କରିବା, ସେମାନଙ୍କୁ ଜମି ପଟ୍ଟା ଦେବା ଓ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଇଥିବା କହିଥିଲେ ରାଜ୍ୟ ସରକାର । ଏହି ବିଷୟ ପାଇଁ ଗତ ୨୮ ଅଗଷ୍ଟରେ କଳିଙ୍ଗ ଷ୍ଟାଡିୟମଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା କ୍ଷେତ୍ରରେ ଭଲ କାମ କରିଥିବାରୁ CMCକୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ବାରା ଏହି ପ୍ରକାର ମିଥ୍ଯା ଓ କପୋଳକଳ୍ପିତ ପ୍ରଚାରକୁ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଗାନ୍ଧି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଉଛି ।" ଏହା କହିଛନ୍ତି ବସ୍ତି ବାସିନ୍ଦା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ।
ସେ ଆହୁରି ମଧ୍ୟ କହିଛନ୍ତି, "ଏହାର ବାସ୍ତବ ଚିତ୍ର କ'ଣ ବସ୍ତିରେ ରହୁଥିବା ଲୋକେ ଜାଣନ୍ତି ଓ ସହରର ଅନେକ ଜନସାଧାରଣ ମଧ୍ଯ ଜାଣନ୍ତି । ରାଜ୍ୟ ସରକାର ଓ CMC ଆଗାମୀ ରାଜ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଭୋଟ ସର୍ବସ୍ବ ପ୍ରଚାର କରିବା ଘୋର ନିନ୍ଦନୀୟ ବିଷୟ । ଏହି ପ୍ରକାର ମିଥ୍ୟା ପ୍ରଚାରର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ସରକାର ଓ CMC ଏହି ପ୍ରକାର ପ୍ରବଞ୍ଚନା ପୂର୍ଣ୍ଣ ପ୍ରଚାରରୁ କ୍ଷାନ୍ତ ରହି ବସ୍ତି ବାସିନ୍ଦାମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ପୂରଣ ଦିଗରେ କାମ କରିବା ଜରୁରୀ ।"