କଟକ: ଶ୍ରାବଣ ମାସ ଦ୍ବିତୀୟ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର । ସକାଳେ ପ୍ରଭୁଙ୍କର ନୀତିକାନ୍ତି ସରିବା ସହ ପହଡ ଖୋଲିବା ପରେ ଆରମ୍ଭ ହୋଇଛି କାଉଡିଆମାନଙ୍କ ଜଳାଭିଷେକ । ମନ୍ଦିରରେ ମହାଦେବଙ୍କୁ ବଡସିଂହାର ବେଶରେ ସୁସଜ୍ଜିତ କରିବା ସହ କାଉଡିଆଙ୍କ ବୋଲବମ ଧ୍ବନି ଓ 'ଓଁ ନମଃ ଶିବାୟ ଧ୍ବନି'ରେ ପବିତ୍ର ହୋଇଛି ପରିବେଶ ।
ମାସର ପ୍ରଥମ ସୋମବାର ଗ୍ରହଣ ସପ୍ତାହରେ ଥିବାରୁ ପ୍ରଥମ ସପ୍ତାହରେ ମନ୍ଦିରରେ ସେତେଟା ଭିଡ ଦେଖାଯାଇନଥିଲା । କିନ୍ତୁ ଦ୍ବିତୀୟ ସୋମବାରରେ ପ୍ରାୟ 20 ହଜାରରୁ ଊର୍ଦ୍ଧ୍ବ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ତେବେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମନ୍ଦିରରେ ପୋଲିସ ପ୍ରଶାସନ ପକ୍ଷରୁ 5 ପ୍ଲାଟୁନ ଫୋର୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି ।