କଟକ: ରାୟଗଡାରେ ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା(Russian Tourists Death) । ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପହଞ୍ଚିଲେ ଋଷ ଦମ୍ପତି (Russian couple reached at crime branch office )। ଦମ୍ପତି ପାନ ସଂକୋ ଓ ଟୁରଭୋଙ୍କ ସହ ସହ ଟୁର ଗାଇଡ଼ ଜିତେନ୍ଦ୍ର ସିଂ ମଧ୍ୟ ପହଞ୍ଚିଛନ୍ତି । ଏହି ତିନି ଜଣଙ୍କୁ ତିନିଦିନ ଧରି ଜେରା କରୁଛି କ୍ରାଇମବ୍ରାଞ୍ଚ ।
ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ପରେ 24 ତାରିଖରେ ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସନ୍ଦେହ ଘେରକୁ ଆସିବା ପରେ ତଦନ୍ତ କରିବା ପାଇଁ ରାଜ୍ୟସରକାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତକାଲି ଋଷ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ।
ତେବେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ପୂର୍ବରୁ ଗତକାଲି ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପୁନର୍ବାର ତନାଘନା କରିଥିଲା । ଏସଡିପିଓ ଦେବଜ୍ୟୋତି ଦାସ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ପାଭେଲ ମୃତ୍ୟୁବରଣ କରିଥିବା ସ୍ଥାନଗୁଡ଼ିକ ଯାଞ୍ଚ କରିଥିଲେ । ହୋଟେଲ ନିକଟରେ ନିର୍ମାଣଧୀନ କୋଠାକୁ ଯାଇ କିଛି ସମୟ ରହି ସମସ୍ତ ଘଟଣା ଅନୁଧ୍ୟାନ କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ପୂର୍ବରୁ କଣ ପାଇଁ ଜିଲ୍ଲା ପୋଲିସ ପୁଣିଥରେ ସେହି ସ୍ଥାନକୁ ଯାଇ ତଦନ୍ତ କରିଲା, ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ସେହିପରି ଆଜି ରାୟଗଡା ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ ।