ଓଡିଶା

odisha

ETV Bharat / state

Ratna Bhandar Issue: ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କଲେନି ହାଇକୋର୍ଟ

ବହୁ ଚର୍ଚ୍ଚିତ ରତ୍ନ ଭଣ୍ଡାର ମାମଲାର ଶୁଣାଣି ହୋଇଛି । ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 29, 2023, 6:43 PM IST

Ratna Bhandar Issue
ରତ୍ନ ଭଣ୍ଡାର ମାମଲାର ଶୁଣାଣି

କଟକ:ହାଇକୋର୍ଟରେ ବହୁ ଚର୍ଚ୍ଚିତ ରତ୍ନ ଭଣ୍ଡାର ମାମଲାର ଶୁଣାଣି ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ଗତ ଅଗଷ୍ଟ ୪ ତାରିଖରେ ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ସେହିପରି ଆବେଦନକାରୀ ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ଆବେଦନର ଗ୍ରହଣୀୟତା ପ୍ରସଙ୍ଗରେ କୋର୍ଟ କହିଛନ୍ତି, "ଯଦି ବି ମାମଲାକୁ ଆମେ ଖାରଜ କରୁ,ତଥାପି ଆବେଦନକାରୀ ଉଠାଇଥିବା 2ଟି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।" ସେହିପରି ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ବିଭିନ୍ନ ଅଳଙ୍କାର ଗୁଡିକର ତାଲିକା ପ୍ରସ୍ତୁତ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ଗଠନ କରିବା ଲାଗି ଯଦି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଏ, ତେବେ ସେନେଇ 2 ମାସ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ଗଠନ କରାଗଲେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଚିଠା ପ୍ରସ୍ତୁତ କରିବା ପାଇଁ ମନ୍ଦିର ପରିଚାଳନା କମିଟିକୁ ସହଯୋଗ କରିବାକୁ ରାୟରେ ଦେଇଛନ୍ତି କୋର୍ଟ । ତେବେ ରତ୍ନଭଣ୍ଡାରର ସମ୍ପତ୍ତିର ତାଲିକା ପ୍ରସ୍ତୁତ ଏବଂ ରତ୍ନଭଣ୍ଡାର ଭିତର କାନ୍ଥର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ସୁରକ୍ଷା ଏବଂ ପରିଚାଳନା ପ୍ରସଙ୍ଗରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ବିଶ୍ୱାସକୁ ନେବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି କୋର୍ଟ । କୋଟି କୋଟି ଲୋକଙ୍କର ଶ୍ରୀ ମନ୍ଦିର ଉପରେ ଗଭୀର ଆସ୍ଥା ରହିଥିବାରୁ ASI ଏବଂ SJTMC ମିଳିତ ଭାବରେ ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗରେ କାର୍ଯ୍ୟ କରିବେ ବୋଲି କୋର୍ଟ କହିଛନ୍ତି। ଏବଂ ଆବଶ୍ୟକତା ଅନୁସାରେ ରାଜ୍ୟ ସରକାର SJTMCକୁ ସହଯୋଗ କରିବେ ବୋଲି କୋର୍ଟ ଆଶା ପ୍ରକଟ କରିଛନ୍ତି।

ଏହା ବି ପଢନ୍ତୁ...ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !


ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଆବେଦନକାରୀ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ନେଇ ASI ଅବଗତ କରିଥିଲେ ବି ଏହାର ସୁରକ୍ଷିତ ପାଇଁ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଥିଲେ ଆବେଦନକାରୀ । ତେବେ ଏହାର ସୁରକ୍ଷା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ପାର୍ଥନା କରିଥିଲେ। ସେହିପରି ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଯାଞ୍ଚ କରିବାକୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ଆବେଦନର ଶୁଣାଣି କରି କୋର୍ଟ, ରାୟକୁ ସଂରକ୍ଷିତ ରଖିଥିଲେ । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ସୁବାସିସ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରି ଆଜି ଏହି ରାୟ ପ୍ରଦାନ କରିଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details