କଟକ:ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଗୃହ ଭିତରେ ବିରୋଧୀଙ୍କ ଡାଲି ମାଡ଼ ପ୍ରସଙ୍ଗ । ବିଜେପିର ଏଭଳି ଆଚରଣକୁ ନେଇ ଶାସକ ଦଳ ଏବେ ବିରୋଧୀଙ୍କୁ ଟାର୍ଗେଟ କରିଛି । ଏହାରି ଭିତରେ ବିଜେଡି ସାଂସଦଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଡାଲି ମାଡ଼ ଘଟଣାକୁ ନେଇ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଶାସକ ଦଳର ସମସ୍ତ ନେତା ଓ କର୍ମୀ ଏନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିବାବେଳେ ଭର୍ତ୍ତୃହରି ଯେଉଁ ଢଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ତାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଏପରିକି ଏହି ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନରେ ସେ ଯାହା କହିଛନ୍ତି ତାହା ଭିନ୍ନ ଦିଗକୁ ଇଙ୍ଗିତ କରୁଛି ।
ତେବେ ଡାଲି ମାଡ଼ ପ୍ରସଙ୍ଗରେ ସାମ୍ବାଦିକ ପଚାରିଥିବା ପ୍ରଶ୍ନରେ ସାଂସଦ ପାଲଟା ପ୍ରଶ୍ନ କରିଛନ୍ତି, "କେଉଁ ଡାଲି ପିଙ୍ଗା ଯାଇଛି ? ହରଡ଼, ମସୁର ନା କୋଳଥ ଡାଲି ?" ଏହାପରେ ସାଂସଦ ଆଉ କିଛି ଅଧିକ ନକହି କ୍ୟାମେରା ସମ୍ମୁଖରୁ ମୁହଁ ଫେରାଇ ନେଇଥିବା ଦେଖିବାକୁ ମିଳିଛି । ତେବେ ସାଂସଦ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁଁନାହାନ୍ତି ନା ପରୋକ୍ଷରେ ସମର୍ଥନ କରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଭର୍ତ୍ତୃହରି ଦଳର ଜଣେ ବରିଷ୍ଠ ନେତା ହୋଇ ସୁଦ୍ଧା ପ୍ରତ୍ୟେକ ପ୍ରସଙ୍ଗ ଉପରେ ସେ ପୂର୍ବରୁ ଅନେକ ଥର ନିଜର ପ୍ରତିକ୍ରିୟା ଦେଇଥାନ୍ତି । ଦଳ ସମର୍ଥନରେ ସେ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି । ମାତ୍ର ଏବେ ତାଙ୍କର ପ୍ରତିକ୍ରିୟାକୁ ନେଇ ଅନେକ ଚର୍ଚ୍ଚା ହେଉଛି ।
ଏହା ବି ପଢନ୍ତୁ...CM Anti-Public Statement; ଶାସକ ନା ବିରୋଧୀ, କିଏ ଜନବିରୋଧୀ ?