କଟକ: ଚାଲିଛି ପାର୍ବଣର ଋତୁ । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଧୂମଧାମରେ ରାଜ୍ୟବାସୀ ପାଳିବେ ଦୂର୍ଗା ପୂଜା । ମା' ଦୁର୍ଗାଙ୍କ ଆଗମନରେ ବେଶ ଉତ୍ସବ ମୁଖର ହୋଇପଡିଛି ଭାଇଚାରାର ସହର କଟକ । ଦୁଇବର୍ଷର କରୋନା କଟକଣା ପରେ ଏଥର ଜମିବ ପାର୍ବଣ । ଦୁର୍ଗାପୂଜା ସାଙ୍ଗକୁ ଏଥର ରାବଣ ପୋଡି ଉତ୍ସବକୁ ଉପଭୋଗ କରିବେ କଟକବାସୀ । ତେଣୁ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ରାବଣ ପୋଡି ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।
ଆସନ୍ତା ବିଜୟା ଦଶମୀରେ କଟକରେ ଧୁମଧାମରେ ପାଳନ ହେବ ରାବଣ ପୋଡି ଉତ୍ସବ । ବାରବାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବ ଏହି ରାବଣ ପୋଡି ଉତ୍ସବ । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ରାବଣ ପୋଡି ସମ୍ଭବପର ହେଉ ନଥିଲା । କିନ୍ତୁ ଚଳିତବର୍ଷ ତାହାକୁ ବେଶ ଆଡ଼ମ୍ବର ସହ ପାଳନ କରାଯିବ । ଚଳିତ ମାସ ୫ ତାରିଖ ଅର୍ଥାତ ବିଜୟା ଦଶମୀରେ ଏହି ଉତ୍ସବ ପାଳନ ହେବ । ମଧ୍ୟ ରାତିରେ ରାବଣ ପୋଡି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ତାହା ପୂର୍ବରୁ ଓଡ଼ିଶାର ମାନ୍ୟଗଣ୍ୟ କଳାକାରଙ୍କ ପକ୍ଷରୁ ମନୋରଞ୍ଜନ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
ଏନେଇ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ଆବାହକ ଆଶୀର୍ବାଦ ବେହେରା କହିଛନ୍ତି, "୩୧ ବର୍ଷ ଧିର ରାବଣ ପୋଡି ଉତ୍ସବ ହୋଇ ଆସୁଥିଲା । ଏଥର ଏହା ୩୨ ବର୍ଷରେ ପଦାର୍ପଣ କରିଛି । କଟକ ସହର ହେଉଛି ଭାଇଚାରାର ସହର । ରାବଣ ପୋଡି ଉତ୍ସବକୁ ଉପଭୋଗ କରିବା ପାଇଁ ସାରା କଟକ ବାସୀ ଅପେକ୍ଷା କରି ରହଥାନ୍ତି ।