କଟକ: ଓଡ଼ିଶା ପୋଲିସର ସବ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ପାତରଅନ୍ତର କରାଯାଇ ପିଲାଙ୍କୁ ମାର୍କ ଦିଆଯାଇ ନିଯୁକ୍ତି ଦିଆଯାଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି SI ପରୀକ୍ଷାର୍ଥୀ । ପରୀକ୍ଷାରେ ପାରଦର୍ଶିତା ନରହି କେବଳ ଦୁର୍ନୀତି କରାଯାଉଛି । ଏଭଳି ଅଭିଯୋଗ କରି କଟକ ବକ୍ସି ବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଶତାଧିକ ଆଶାୟୀ ପ୍ରତିବାଦ କହିଛନ୍ତି ।
୨୦୧୮ ମସିହାରେ ସବ୍ ଇନ୍ସପେକ୍ଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ପ୍ରକାଶ ପାଇଥିବା ମେରିଟ ଲିଷ୍ଟରେ ଅନେକ ବିଭ୍ରାଟ ହୋଇଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି । ବାସ୍ତବରେ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥୀ ଅଚାନକ ଶତ ପ୍ରତିଶତ ମାର୍କ ରଖିଛନ୍ତି । ଏହା ସହିତ ଚୂଡାନ୍ତ ମେରିଟ ଲିଷ୍ଟ ସେମାନଙ୍କର ନାଁ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା କରାଯାଉଛି । ତେବେ ଆସନ୍ତା ୫ ତାରିଖରେ ଦିଆଯିବାକୁ ଥିବା ନିଯୁକ୍ତିପତ୍ରକୁ ସ୍ଥଗିତ ରଖିବା ସହ ଭଲ ଏଜେନ୍ସି ଜରିଆରେ ଆସନ୍ତା ସବ ଇନ୍ସପେକ୍ଟର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯାଉ ବୋଲି ଦାବି କରି ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ଦିଆଯାଇଛି ।