କଟକ: ଦେଶରେ ଜାରି ରହିଛି କୋରୋନା କାୟା । ଯେଉଁଥି ପାଇଁ ସମସ୍ତକ୍ଷେତ୍ର ହୋଇଛି ବିଶେଷ ପ୍ରଭାବିତ । ଗତ ମାର୍ଚ୍ଚରୁ ଲକଡାଉନ ଆରମ୍ଭ ଘୋଷଣା ପରେ ସବୁ କିଛି ଠପ୍ ହୋଇଯାଇଥିଲା । ତେବେ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିଲେ କ୍ରୀଡାବିତ । କ୍ରୀଡାକୁ କ୍ୟାରିୟର କରିବାକୁ ଚିନ୍ତା କରିଥିବା ପ୍ରତିଭା ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଥିଲେ । ନା ବାହାରକୁ ବାହାରିବାକୁ ଅନୁମତି ଥିଲା ନା ପଡିଆରେ ଅଭ୍ୟାସ ପାଇଁ ।
ଖେଳାଳିଙ୍କୁ ଅନଫିଟ କଲା କୋରୋନା, ଟ୍ରାକକୁ ଫେରିବାକୁ ଚେଷ୍ଟା ଜାରି ତେବେ ସେଥିପାଇଁ ଫିଟନେସ ପ୍ରଭାବିତ ହେବା ଆଶଙ୍କାରେ ଅଭ୍ୟାସ ଆରମ୍ଭ କରିଛନ୍ତି କ୍ରୀଡାବିତ । ଲକଡାଉନ ସମୟରେ ନିଜ ଘରେ ହିଁ ଅଭ୍ୟାସ କରିବାକୁ ବାଧ୍ୟ ହୋଇଥିଲେ ଖେଳାଳି । ମାତ୍ର ପଡିଆରେ ଅଭ୍ୟାସ ଓ ଘର ମଧ୍ୟରେ ଅଭ୍ୟାସ ମଧ୍ୟରେ ଆକାଶ ପାତାଳ ଫରକ ବୋଲି ସେମାନେ କହିଛନ୍ତି । ଯାହାକୁ ନେଇ ଚିନ୍ତା ବଢିବା ସ୍ୱାଭାବିକ ।
ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଲକ ଡାଉନ ପ୍ରକ୍ରିୟା । ଯାହା ଖେଳାଳିଙ୍କ ପାଇଁ ହୋଇଥିଲା କାଳ । ପଡିଆରେ ଅଭ୍ୟାସ କରିବାକୁ ବଞ୍ଚିତ ହୋଇଥିଲେ ଖେଳାଳି । ଯାହାଦ୍ୱାରା ସେମାନଙ୍କର ଫିଟନେସ ହୋଇଥିଲା ମନ୍ଥର । ତେବେ ଏହି ଦୀର୍ଘ ମାସ ବ୍ୟବଧାନର ଲକଡାଉନ ଖେଳାଳିଙ୍କ ଫିଟନେସକୁ ନେଇ ଛିଡା କରିଥିଲା ପ୍ରଶ୍ନ ।
ତେବେ ବର୍ତ୍ତମାନ ଖୋଲିଛି ଲକଡାଉନ । କୋହଳ ହୋଇଛି କରୋନା କଟକଣା । ଇଣ୍ଡୋର ଗେମକୁ ଭୁଲି ଆଉଟଡୋର ଗେମ ଉପରେ ଫୋକସ୍ କରୁଛନ୍ତି ଖେଳାଳି । ଫିଟନେସକୁ ଅଧିକ ଶକ୍ତ କରିବା ପାଇଁ ପଡିଆରେ ଝାଳ ବୁହାଉଛନ୍ତି । ତେବେ ଲକଡାଉନ ଅବଧି ନିଶ୍ଚୟ ଜଣେ ଖେଳାଳିର ଫିଟନେସକୁ ଅନେକ ପଛକୁ ଠେଲି ଦେଇଥିବା କହିଛନ୍ତି ଖେଳାଳି ।
ଏହି ଲକଡାଉନ ମଧ୍ୟରେ ଅନେକ ଖେଳାଳି ସମ୍ପୂର୍ଣ୍ଣ ଘରେ ରହି ଅଭ୍ୟାସ କରିଛନ୍ତି। କରୋନା କଟକଣା କୋହଳ ହେଲା ପରେ ଗ୍ରାଉଣ୍ଡ ଆସି କିଛି ମାତ୍ରାରେ ଅଭ୍ୟାସ କରି ଫିଟ ମଧ୍ୟ ରହୁଛନ୍ତି । ହେଲେ ଯେତେ ପର୍ଯ୍ୟନ୍ତ ସ୍କୁଲ କଲେଜ ସମ୍ପୂର୍ଣ୍ଣ ରୂପେ ନ ଖୋଲିଛି ସେ ପର୍ଯ୍ୟନ୍ତ ପୂର୍ଣ୍ଣଙ୍ଗ ଖେଳ ହେବା ଅସମ୍ଭବ । ଏମିତିବିରେ ବାରବାଟୀ ରେ କ୍ରିକେଟ ଲିଗ ହୋଇ ସାରିଛି । ଯାହାଦ୍ୱରା ଜଣାପଡିଛି ଖେଳାଳି ମାନେ ଫିଟ ରହିଛନ୍ତି । ଆଗମୀ ଦିନରେ ଆହୁରି ମେଗା ଇଭେଣ୍ଟ ହେବା ନେଇ ମଧ୍ୟ ଆଶା ରହିଛି । ହେଲେ ବ୍ରିଟେନରେ ଯେଉଁ କରୋନାର ନୂଆ ରୂପ ଦେଖା ଦେଇଛି ତାହା ପୁଣି ଓଡିଶା ରେ ପ୍ରବେଶ କରିସାରିଛି । ତେବେ ଏବେ କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ଏହାବ୍ୟତୀତ କ୍ରୀଡାଛାତ୍ର ବାସ ମଧ୍ୟ କେବେ ଖୋଲିବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଯେଉଁଥିପାଇଁ ଖେଳାଳି ମାନେ ଅନେକ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଖେଳାଳିଙ୍କୁ ସିଧାସଳଖ ଦୁଇ ପାଦ ପଛକୁ ପେଲିଛି କୋରୋନା । ଆଉ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ଟ୍ରାକକୁ ଫେରିବା ପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି କ୍ରୀଡ଼ାବିତ । ତେବେ ସମୟ କହିବ ଖେଳାଳି ସମ୍ପୂର୍ଣ୍ଣ ଫିଟ ହେଲା ବେଳକୁ ପୁଣି କୋରୋନାର ଦ୍ୱିତୀୟ ଲହରୀ ଆସିଯିବନି ତ !
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ