କଟକ:ଆଜି ହେଉଛି ବିଶ୍ୱ ପଖାଳ ଦିବସ । ସଂସ୍କୃତି ଓ ପରମ୍ପରା ନଗରୀ କଟକରେ ଥିବା ବଡ଼ ବଡ଼ ହୋଟେଲଗୁଡିକରେ ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଓଡ଼ିଆ ଘରର ଏହି ପାରମ୍ପରିକ ଖାଦ୍ୟର ଚାହିଦା ବିଶେଷକରି ଖରାଦିନେ ଢେର ଅଧିକ ରହିଥିବାରୁ ଦହି ପଖାଳ ସହ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟକୁ ପରଷିବାକୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଆଜିର ଦିନରେ ସୁସ୍ବାଦୁ ପଖାଳର ମଜା ନେଇ ଗ୍ରାହକ ଢେର ଖୁସି ହୋଇଥିବାବେଳେ ଆଗକୁ ମଧ୍ଯ ପଖାଳର ବ୍ୟବସାୟ ଜମିବ ବୋଲି ବେଶ୍ ଆଶାବାଦୀ ଅଛନ୍ତି ହୋଟେଲ କର୍ତ୍ତୃପକ୍ଷ ।
ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ବଘାରୀ ପ୍ରସ୍ତୁତ କରାଯାଇଛି ଦହି ପଖାଳ । ଆଉ ତା ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରଷା ଯାଇଛି ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ, ଯେମିତିକି ବଢିଚୁରା, ଆଳୁ ଭର୍ତ୍ତା, ଛୁଇଁ ଆଳୁଭଜା, ଶାଗଭଜା, ବାଇଗଣ ଚଟଣୀ, କଲରା ଚିପ୍ସ, ବିଲାତି ଚଟଣୀ, ପାମ୍ପଡ଼, ମାଛ ଭଜା ଭଳି ଅନେକ ସୁସ୍ବାଦୁ ଖାଦ୍ୟ । ପଖାଳ ଦିବସ ଅବସରରେ କଟକର କିଛି ବଡ ବଡ ହୋଟେଲରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ପଖାଳ ଓଡ଼ିଆ ଘରର ଏକ ପ୍ରମୁଖ ଖାଦ୍ୟ ହୋଇଥିବାବେଳେ ଏହା ଦେହ ପାଇଁ ଢେର ଭଲ ବୋଲି କହିଛନ୍ତି ଗ୍ରାହକ । ତେବେ ଆଜିର ଯୁବପିଢ଼ି ବଡ଼ ବଡ଼ ହୋଟେଲରେ ଏହି ପଖାଳର ମଜା ନେବା ପରେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କୁହାଯାଉଥିବା ଜଙ୍କ ଫୁଡକୁ ସେମାନେ ଭୁଲିଯିବେ ବୋଲି କହିଛନ୍ତି ଅନ୍ୟ କିଛି ଗ୍ରାହକ ।