କଟକ:ରାଜ୍ୟ ସରକାର ବିଶ୍ବସ୍ତରୀୟ ଚିକିତ୍ସା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏସସିବି ମେଡିକାଲରେ ସିଟି ସ୍କାନ ମେସିନ କାମ କରୁନି । ଫଳରେ ହନ୍ତସନ୍ତ ହେଉଛନ୍ତି ଚିକିତ୍ସା ପାଇଁ ଆସୁଥିବା ରୋଗୀ । ଗତକାଲି (ବୁଧବାର) ଦିନ ତମାମ ଆଞ୍ଚଳିକ ନିଦାନ କେନ୍ଦ୍ରରେ ସିଟି ସ୍କାନ ମେସିନ ବନ୍ଦ ରହିଥିବାବେଳେ ଆଜି 'ରଞ୍ଜନ ରଶ୍ମୀ' ବିଭାଗରେ ପିପିପି ମୋଡରେ ଚାଲୁଥିବା ଅନ୍ୟ ଏକ ମେସିନଟି ସାମାନ୍ୟ ଅଚଳ ହୋଇଯାଇଛି । "ମେସିନ ପୁରୁଣା ହେଉଥିବା କାରଣରୁ ଏଭଳି ଅସୁବିଧା ହେଉଥିବାବେଳେ ଏହାର ବିକଳ୍ପ କରାଯିବ" ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଅନ୍ୟପଟେ ମେଡିକାଲରେ 2ଟି ଯାକ ସିଟି ସ୍କାନ ମେସିନ ଅଚଳ ହୋଇପଡିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରୋଗୀ ।
ଆଜି(ଗୁରୁବାର) ସକାଳେ ଆଞ୍ଚଳିକ ନିଦାନ କେନ୍ଦ୍ର ମେସିନ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ରଞ୍ଜନରଶ୍ମିରେ ଥିବା ମେସିନ ମରାମତି ଚାଲିଛି । ଯେଉଁଥିପାଇଁ ସିଟି ସ୍କାନ ପାଇଁ ଆସୁଥିବା ରୋଗୀମାନଙ୍କୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନକୁ ପଠାଯାଉଛି । ତେବେ ବାରମ୍ବାର ସିଟି ସ୍କାନ ମେସିନ ଅଚଳ ହୋଇପଡିବା ଫଳରେ ଗୁରୁତର ରୋଗୀ ସେବା ବ୍ୟାହତ ହେଉଛି । ସ୍କାନ ପାଇଁ ରୋଗୀ ଓ ରୋଗୀଙ୍କର ସମ୍ପର୍କୀୟଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି । ୩ ଦିନରୁ ଊର୍ଦ୍ଧ୍ବ ସମୟ ହେବ ମେସିନ ଅଚଳାବସ୍ଥା ପାଇଁ ବାରମ୍ବାର ଆସି ଫେରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ଏହା ବି ପଢନ୍ତୁ...ରୋଗୀଙ୍କୁ ସୁସ୍ଥ କରିବ ସଙ୍ଗୀତ ! ଏସସିବି ଆଇସିୟୁରେ ଲାଗିବ ମ୍ୟୁଜିକ ବ୍ୟବସ୍ଥା